ତିହିଡି, ୦୧.୦୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମତୋ ସିଡିପିଓ କାର୍ଯ୍ୟାଳୟର ବେନିୟମଭାବେ ସୁପରଭାଇଜରଙ୍କ ବଦଳି କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମସୁଧା ଚାଲୁଥିବା ଚର୍ଚ୍ଚା ହେଉଛି । ୫ ବର୍ଷ କାର୍ଯ୍ୟ କରିଥିବା ସୁପରଭାଇଜରଙ୍କୁ ପୂନଶ୍ଚ ସେହି ବ୍ଲକ ତଥା ନିଜ ବ୍ଲକରେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ ନାହିଁ ବୋଲି ୨୦୨୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆକରି ନିୟମ କରା ଯାଇଥିଲା ମାତ୍ର ଚଳିତ ବର୍ଷ ମତୋ ସିଡିପିଓଙ୍କ କାର୍ଯ୍ୟାଳୟରୁ ଜଣକୁ ତିହିଡି ଓ ଅନ୍ୟ ଜଣଙ୍କୁ ଭଦ୍ରକ ବଦଳି କରାଯିବ ବୋଲି ଚୂଡାନ୍ତ ହୋଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳୁଛି । ଫାଇଲ୍ ମୋହର ଅପେକ୍ଷରେ ସଂପ୍ରତି ଜିଲ୍ଲାପାଳଙ୍କ ଟେବୁଲରେ ପଡିଥିବା କୁହାଯାଉଛି । ବ୍ଲକ ସ୍ତରରେ ରାଜନେତାଙ୍କୁ ହାତକରି ଏପରି କରାଯାଉଥିବା ଘଟଣାକୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଅଭିଯୋଗ ମୁତାବକ ସୁପରଭାଇଜରଙ୍କ କାର୍ଯ୍ୟରେ ଅବହେଳା ନେଇ ଅନ୍ୟ ବ୍ଲକ ବଦଳି କରାଯାଇଥାଏ । ହେଲେ ବଦଳି ହେବାର କିଛିଦିନ ପୂନଶ୍ଚ ସେହି ବ୍ଲକକୁ ବଦଳି କରାଯିବା ବଡ ଦୁଭାଗ୍ୟଜନକ ବୋଲି କୁହାଯାଉଛି । ଅନ୍ୟପଟେ ମତୋ ସିଡିପିଓ କାର୍ଯ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନର ଅବିଚାର ଚାଲିଛି । ୧୬ଟି ପଞ୍ଚାୟତ ତଥା ୨୦୮ଟି କେନ୍ଦ୍ର ବିଶିଷ୍ଟ ଉକ୍ତ କାର୍ଯ୍ୟାଳୟରେ ୮ ଜଣ ସୁପରଭାଇଜର ନିଯୁକ୍ତି ପାଇଥାନ୍ତି ପୋଷ୍ଟ ରହିଛି । ମାତ୍ର ଦୀର୍ଘବର୍ଷ ଧରି ଏଠାରେ ମାତ୍ର ୩ ଜଣ ସୁପରଭାଇଜର କାର୍ଯ୍ୟ କରୁଅଛନ୍ତି । ଅଭିଯୋଗର ତଦନ୍ତ କରିବା ସହ ହିତାଧିକାରୀଙ୍କୁ ସରକାରଙ୍କ ପ୍ରଦତ୍ତ ସହାୟତା ପ୍ରଦାନ କରିବାରେ କେତେ ସକ୍ଷମ ହେଉଥିବା ତାହା ଜଳଜଳ କରି ଦେଖା ଯାଉଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏପରିକି ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଇ କେବଳ ଚାପରେ ବଦଳି କରାଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ବଦଳି ପ୍ରକ୍ରିୟାରେ ଚୂଡାନ୍ତ ମୋହର ବାଜିବା ପୂର୍ବରୁ ସାନି ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

