ତିହିଡି, ୦୭.୧୦: ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବିନ୍ଧା ଛକରେ ହିନ୍ଦୁ ମହିଳାଙ୍କୁ ଧର୍ମାନ୍ତିକରଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ଲଘୁ ସଂପ୍ରଦାୟର ବୋଲି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି । ଅଭିଯୁକ୍ତ ହେଉଛନ୍ତି ଏସ. କେ ସନାଉଲା(ହାସାନ) ଜଣେ ବିବାହିତ ଏବଂ ତାଙ୍କ ଘର ସନ୍ଥପୁରା ଗାଁରେ ବୋଲି ଜଣା ଯାଇଛି । ସଂପୃକ୍ତ ମହିଳାଙ୍କର ଜଣେ ବିଧବା ଝିଅ ଓ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ପୁଅକୁ ଭଦ୍ରକରେ ଏକ ମଦ୍ରାସା ସ୍କୁଲରେ ପାଠ ପଢାଉଥିବା ବେଳେ ବିଧବା ଝିଅକୁ ସନାଉଲ ପାଖରେ ରଖିଥିବା ଏତଲାକାରୀ ପକ୍ଷ ଜାଣିବାକୁ ପାଇଛନ୍ତି । ତେବେ ସନାଉଲା କୌଣସି ପ୍ରକାରରେ ଧମକ ଚମକ କରି ଏବଂ ଡରେଇ ହୁଲେଇ ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଇବା ସହ ଦୁଇ ବର୍ଷ ହେଲା ମତୋ ବଜାରରେ ଏକ ଭଡା ଘରେ ରଖିଥିଲେ ଏବଂ କିଛିଦିନ ତଳେ ସନ୍ଥପୁରା ପେଟ୍ରୋଲ ପମ୍ପ ସମ୍ମୁଖସ୍ଥ ତାଙ୍କ ନିଜ ଘରକୁ ଆଣି ସାଥିହୋଇ ରହୁଥିଲେ । ଏକଥା ଧାର୍ମିକ ସଂଗଠନ ଜାଣିବା ପରେ ଗତକାଲି ସନାଉଲାଙ୍କୁ ପଚାରିବାରୁ ସେ ବିଭିନ୍ନ ପ୍ରକାରର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ଘରୁ ଏକ ତରୱାଲ କାଢି ଆଣି ଜୀବନରୁ ମାରି ଦେବା ଉଦ୍ଦେଶ୍ୟରେ ଦୌଡି ଆସିଥିଲା । ଠିକ୍ ସେହି ସମୟରେ ତାଙ୍କର ବନ୍ଧୁ ମାଂସ ଦୋକାନୀ ଏସ. କେ ଫୈଇସଲ ମଧ୍ୟ ହାତରେ ଏକ ତରୱାଲ ଧରି ଏହି ପକ୍ଷଙ୍କୁ ଜୀବନରୁ ମାରି ଦେବାକୁ ଦୌଡି ଆସିବାରୁ ସେମାନେ ପ୍ରାଣରକ୍ଷା କରିବା ଲାଗି ଉକ୍ତ ସ୍ଥାନ ଛାଡି ପୋଲିସ ନିକଟରେ ଏତଲା ଦାଏର କରିଥିଲେ । ଘଟଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାସ୍ତା ପାଶ୍ୱର୍ ହେତୟ ଶହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଫରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଗଣ୍ଡଗୋଳ କରିଥିବା ଦୁଇ ଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଥାନାକୁ ନେଇ ଯାଇଥିଲେ । ଘଟଣାକୁ ନେଇ ପୋଲିସ ସଂଗୀନ ଦଫାରେ ଏକ ମାମଲା ୨୩୬/୨୬ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଛାଡି ଦେଇଥିବା ବେଳେ ସଂପୃକ୍ତା ମହିଳାଙ୍କ ସୁରକ୍ଷା ପାଇଁ ଭଦ୍ରକସ୍ଥିତ ଆସିଆନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ଯାହାକୁ ନେଇ ଧାର୍ମିକ ସଂଗଠକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବୁଦ୍ଧିରାମ ସେଠୀ, ଜୀବନଜ୍ୟୋତି ବଳ, ତପନ ସ୍ୱାଇଁ, ସୁଶାନ୍ତ କୁମାର ସାହୁ, ବିକ୍ରମ ସେନାପତି, ଭାଗିରଥି ଦାସ, ବାବାଜୀ ପରିଡା, ନାରାୟଣ ଦାସ, ରତିକାନ୍ତ ମହାକୁଡ, ଅଭୟ ନାୟକ, ଅଜୟ ମହାଳିକ,ଲକ୍ଷ୍ମୀଧର ଦାସ, ସରୋଜ ରାଉତ,ସଞ୍ଜୟ ବାରିକ, ଦେବବ୍ରତ ଜେନା, ହରେନ୍ଦ୍ର କୁମାର ପରିହାରୀ ଓ ଅମ ମାଇତି ପ୍ରମୁଖ ଘଟଣାର ଆମୂଳଚୂଳ ତଦନ୍ତ କରାଯିବା ସହିତ ଦୁଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଏହି ଧାର୍ମିକ ସଂଗଠକମାନେ ଆନ୍ଦୋଳନର ଡାକରା ଦେଇଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

