ତିହିଡି, ୦୭.୧୦: ଭଦ୍ରକ-ଚାନ୍ଦବାଲି ରାଜପଥ ତିହିଡି ପୁରୁଣା ହାଟ ଠାରୁ ଲମ୍ବିଥିବା ତହସିଲ ରୋଡ ଜବର ଦଖଲ ହୋଇଥିଲା । କେତେକ ରାସ୍ତା ଉପରେ ବାସଗୃହ ଓ ଦୋକାନ କରିଥିବା ନେଇ ନାନାଦି ଅଭିଯୋଗ ହୋଇ ଆସୁଥିଲା । ରାସ୍ତା ଉପରେ ପାଣି ଜମି ରହୁଥିଲା । ବର୍ଷା ହେଲେ କୃତିମ ପୋଖରୀ ସୃଷ୍ଟି ହେଉଥିଲା । ଲୋକେ ବସ୍ତ୍ର ଟେକି ଯାତାୟତ କରୁଥିଲେ । ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରାଯିବାକୁ କଂଗ୍ରେସ ଦାବି କରିଥିଲା । ଏହାର ବ୍ୟତିକ୍ରମ ହେଲେ ଗଣଧାରଣା ଦେବାକୁ ଚେତାବନି ମଧ୍ୟ ଦେଇଥିଲା । ତେବେ ଏହି ଦାବି ପରେ ତହସିଲଦାର ସୁବାଶିଷ ସାହୁଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଓ ବୁଧବାର ମାପଚୁପ ହୋଇଛି ଏବଂ ତାହା ସରିଛି ମଧ୍ୟ । ରାସ୍ତାର ଉଭୟ ପାର୍ଶ୍ୱରେ ସରକାରୀ ଜାଗା ଅବରୋଧ ହୋଇଥିବାରୁ ଏହାକୁ ଚିହ୍ନଟ କରି ଅବରୋଧ ହଟାଇବା ଲକ୍ଷ୍ୟରେ ମାପଚୁପ କରାଯାଇଥିବା ଜଣା ଯାଇଛି । ଅପରପକ୍ଷେ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ଓ ରାସ୍ତା ନିର୍ମାଣ କରିବାକୁ ବ୍ଲକ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା । ଏହା କରାନଗଲେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯିବ ବୋଲି ମଧ୍ୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଥିଲା । ତେବେ ଅନଶନ ଦିନ ଗତ ମାସ ୨୮ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ତହସିଲଦାର ସୁବାଶିଷ ସାହୁ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ସମେତ ପୂର୍ବତନ ସମିତି ସଭ୍ୟ ସୁରେଶ ମହାପାତ୍ର, ତ୍ରିଲୋଚନ ମହାଳିକ ଓ ସୌମେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ପରିସ୍ଥିତି ଟଳିବା ପରେ ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଅନଶନକୁ ସ୍ଥଗିତ ରଖାଯାଇଥିଲା । ରାଜସ୍ୱ ନିରୀକ୍ଷକ ଯୋଗେନ୍ଦ୍ର ମାଝୀ, ଭାଗିରଥି ଦାସ, ଦୁର୍ଗାଚରଣ ସେଠୀ, ସରକାରୀ ଅମିନ ସୁବାସ ଚନ୍ଦ୍ର ପଲାଇ, ସୁଜିତ କୁମାର ସିଂ ଏବଂ ଘରୋଇ ଅମିନ ବୀରେନ୍ଦ୍ର କୁମାର ନାୟକ, ଲଳିତ ମୋହନ ମାହୁନ୍ତ ମାପଚୁପ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଅବରୋଧ ଯୋଗୁ ତହସିଲ ରାସ୍ତା ସଙ୍କୁଚିତ ହେବାସହ ରାସ୍ତାରେ ପାଣି ଜମି ରହୁଥିବାରୁ ହଜାର ହଜାର ଲୋକ ଏବଂ ଯାତାୟତ ସମୟରେ ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଥିଲେ । ସବୁଠୁ ବଡ କଥା ହେଉଛି କିଛିଦିନ ଜବର ଦଖଲ କରିଥିବା ଜଣେ ବ୍ୟକ୍ତି ନିଜ ତରଫରୁ ଅମିନ୍ ଲଗାଇ ମାପଚୂପ କରିଥିଲା ଏବ ରାସ୍ତା ଉପରେ ତାଙ୍କର ସ୍ଥିତିବାନ୍ ଜମି ଥିବା ଦର୍ଶାଇ ଚିହ୍ନ ମଧ୍ୟ ଦେଇଥିଲା । ହେଲେ ସରକାରୀ ମାପଚୂପରେ ତାଙ୍କ ପାଚେରୀ ସମେତ ବାରଣ୍ଡା ଏପରିକି ସିଡି ସ୍ଟେପ୍ସ ପର୍ଯ୍ୟନ୍ତ ସରକାରୀ ଜମିଥିବା ଜଣାଯାଇଛି । ତେବେ ସରକାରୀ ସ୍ତରରେ ମାପଚୂପ ସରିବା ପରେ କେବେ ଏହାର ଉଚ୍ଛେଦ ହେଉଛି ତାହାକୁ ଅନେଇ ବସିଛନ୍ତି ଅଞ୍ଚଳବାସୀ ।

