ଦାରିଙ୍ଗବାଡି;, ୨୯/୯: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜୀଡିଂପାଟା ଜଙ୍ଗଲ ନାଳ କୂଳରୁ ମଙ୍ଗଳବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସକାଳ ପ୍ରାୟ ୭ଟାରେ ମାଣ୍ଡିପଙ୍କାରୁ ଜୀଡିଂପାଟା ଯାଉଥିବା ବେଳେ ସ୍ୱେଚ୍ଛାସେବୀ ନମିତା ପରିଡ଼ା ଶିଶୁର କାନ୍ଦ ଶୁଣି ନାଳ ନିକଟକୁ ଯାଇଥିଲେ। ସେଠାରେ ଶିଶୁଟିକୁ ଏକାକୀ ପଡ଼ିଥିବା ଦେଖି ଆଖପାଖରେ ଖୋଜାଖୋଜି କରିଥିଲେ। କେହି ନମିଳିବାରୁ ଶିଶୁଟିକୁ ନିଜ ଘରକୁ ନେଇଯାଇଥିଲେ।
ପରେ ମେରାମା ଅଙ୍ଗନୱାଡି କର୍ମୀ କଳ୍ପନା ସିଂଙ୍କୁ ଖବର ଦେଇ ଉଭୟେ ଶିଶୁଟିକୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ। ଡାକ୍ତର ପ୍ରମୋଦ କୁମାର ସେଠୀଙ୍କ ସୂଚନାନୁସାରେ, ଶିଶୁଟିର ଓଜନ ୨ କିଲୋ ୫୪୦ ଗ୍ରାମ ଥିବାବେଳେ ତାହାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଶିଶୁର ଥଇଥାନ ବ୍ୟବସ୍ଥା କରାଯାଉଛି। ଖବର ପାଇ ଦାରିଙ୍ଗବାଡି ସି ଡ଼ି ପି ଓ ସନ୍ଧ୍ୟାରାଣୀ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶିଶୁ କୁ ସି ଡ ବ୍ଲୁ ସି କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ଏପଟେ ନମିତା ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଏଥିପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ଦସ୍ତାବିଜ ଓ ପ୍ରକ୍ରିୟା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଜଙ୍ଗଲ ନାଳ କୂଳରେ ଛାଡ଼ିଗଲା, ତାହାର ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

