ତିହିଡି – ଭଦ୍ରକ ଜିଲ୍ଲା ତିହିଡି଼ ସରକାରୀ ହାଇସ୍କୁଲ ନିକଟରେ ଥିବା ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପୂର୍ବରୁ ଷ୍ଟାଡିୟମ ପାଇଁ ୩୦ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ କ୍ରୀଡ଼ା ଉପଯୋଗୀ ହୋଇ ପାରିନାହିଁ। ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ଷ୍ଟାଡିୟମ ପଡ଼ି ରହିଛି। ଏହି ଷ୍ଟାଡିୟମ କ୍ରୀଡ଼ା ଉପଯୋଗୀ ହେଲେ ତିହିଡି଼ ଅଞ୍ଚଳର ବହୁ ଖେଳାଳୀ ଉପକୃତ ହୋଇ ପାରିବେ l ତେବେ ଏହି ଷ୍ଟାଡିୟମରେ ଗତ ୧୨ବର୍ଷ ତଳେ ୩୦ଲକ୍ଷ ଖର୍ଚ୍ଚ କରାଯାଇଥିଲା। ମାତ୍ର ଷ୍ଟାଡିୟମ କ୍ରୀଡ଼ା ଉପଯୋଗୀ ହୋଇ ପାରି ନଥିଲା l ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ଖେଳାଳୀମାନେ ନିଜର କ୍ରୀଡ଼ା ନୈପୁଣ୍ୟତାର ବିକାଶ କରିବା ଦିଗରେ ସୁଯୋଗ ପାଇବାରୁ ବଞ୍ଚିତ ହୋଇ ନିରାଶ ହୋଇ ପଡ଼ିଛନ୍ତି l ତିହିଡି଼ ବ୍ଲକରେ ବିଭିନ୍ନ ସମୟରେ ସ୍କୁଲ ପିଲାମାନଙ୍କୁ ନେଇ ସରକାରୀ ଭାବେ ବ୍ଲକ ଓ ଜିଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ l ଏହି କ୍ରୀଡା ପ୍ରତିଯୋଗିତା କାଳୀ ପଡ଼ିଆରେ ହେଉଛି। ଏହାକୁ ଲକ୍ଷ୍ୟ କରାଯାଇ ସରକାରୀ ବାଳିକା ହାଇସ୍କୁଲ ପାର୍ଶ୍ଵସ୍ଥିତ ପଡ଼ିଆକୁ ମିନି ଷ୍ଟାଡିୟମ ଭାବେ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା l ମିନି ଷ୍ଟାଡିୟମର ଏକ ଫାଟକ ସହିତ ଏକ ଖେଳାଳୀମାନଙ୍କ କ୍ଲାନ୍ତି ବିନୋଦନ ପାଇଁ ଏକ ବିଶ୍ରାମ କକ୍ଷ ନିର୍ମାଣ କରାଯାଇଥିଲା l ପଡ଼ିଆକୁ ସମତୁଲ କରିବା ପାଇଁ ମାଟି ପକାଯିବାର ମଧ୍ୟ ବ୍ୟବସ୍ଥା ହୋଇଥିଲା l ଏହିସବୁ କାର୍ଯ୍ୟପାଇଁ ୨ଟି ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ମିଳିଥିଲା l ତେବେ ନାମକୁ ମାତ୍ର କାର୍ଯ୍ୟ କରାଯାଇ ଅନୁଦାନ ଅର୍ଥର ସିଂହ ଭାଗ ହଡ଼ପ କରାଯାଇଥିବା ତତକାଳୀନ ସମୟରେ ଅଭିଯୋଗ ହୋଇଥିଲା l ଏହି ଦୁର୍ନୀତି ସମ୍ପର୍କରେ ବିଭିନ୍ନ ସମୟରେ ଖବର କାଗଜରେ ପ୍ରକାଶ ପାଇଥିଲେ ବି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେବା ନେଇ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ତାଲା ପଡ଼ିଥିବା ଫାଟକରେ କ୍ରମେକ୍ରମେ ଲତାଗୁଳ୍ମ ମାଡ଼ିଯିବା ସହ ପଡ଼ିଆ ଯଥା ଅନାବନା ଘାସରେ ପରିପୂର୍ଣ୍ଣ ହୋଇଛି। ତେବେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଷ୍ଟାଡିୟମ ନିର୍ମାଣ ହେବ ବୋଲି ଖବର ମିଳିବା ପରେ ଖେଳାଳୀ ଓ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ଦେଖାଯାଇଛି । ଷ୍ଟାଡିୟମ ନିର୍ମାଣ ପାଇଁ ଖୁବ ଶୀଘ୍ର ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ଯାଇଛି l

