କଟକ: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗିରଫ । ବବୁଲୁ ସୁନାଙ୍କୁ ଗିରଫ କଲା ଭିଜିଲାନ୍ସ । ଗତ ୬ ମାସ ଧରି ଫେରାର ଥିବା ବବୁଲୁଙ୍କୁ ଗତକାଲି ରାତିରେ ବଲାଙ୍ଗୀରରୁ ଧରିଛି ଭିଜିଲାନ୍ସ । ତାଙ୍କୁ ଭବାନୀପାଟଣା ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ। ଏମ୍ ଏସିପି (MACP) ଓ ଆର୍ ଏସିପି (RACP) ଯୋଜନାରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ବବୁଲୁ ସୁନା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ଥିବାବେଳେ ଏହି ଅର୍ଥ ଆତ୍ମସାତ୍ କରିଥିଲେ ।
ଅବସରପ୍ରାପ୍ତ, ପୂର୍ବତନ ଓ ମୃତ କର୍ମଚାରୀଙ୍କ ପରିଚୟ ବ୍ୟବହାର କରି ଏମ୍ ଏସିପି ଓ ଆର୍ ଏସିପି ଯୋଜନାରେ ମିଥ୍ୟା ବକେୟା ଦରମା ବିଲ୍ ପ୍ରସ୍ତୁତ କରିଥିଲେ । ଏହି ବିଲ୍ ଜରିଆରେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହା ସହିତ ନିଜର ଦରମା ବୃଦ୍ଧି ସମ୍ପର୍କିତ ସରକାରୀ ରେକର୍ଡରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ନିଜର ପ୍ରାପ୍ୟଠାରୁ ଅଧିକ ଦରମା ନେଇ ସେ ୧୦ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କା ଅତିରିକ୍ତ ଭାବେ ଉଠାଇଥିବା ଭିଜିଲାନ୍ସ କହିଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

