ଭଞ୍ଜନଗର/ ଛତ୍ରପୁର: ବାତ୍ଯା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ହେବାକୁ ଆଶଙ୍କା ଥିବା ଜିଲ୍ଲାରେ ଜିଲ୍ଲାପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗଞ୍ଜାମରେ ସମସ୍ତ ବିଭାଗକୁ ସଚେତନ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ୨୯ ତାରିଖ ପର୍ଯ୍ୟନ୍ତ ହେଡ଼ କ୍ୱାର୍ଟର ନ ଛାଡିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ୧୧୦ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି। ହଜାରେରୁ ଅଧିକ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଏକାଥରେ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚିନ୍ତାରେ ଚାଷୀ କୂଳ। ଫସଲ ଅମଳ ସମୟରେ ଧୋଇ ନେବକି ସମ୍ଭାବ୍ୟ ବାତ୍ୟା !! ସେହି ଆଶଙ୍କାରେ ଏବେ ଦର ପାଚିଲା ଧାନକୁ ଅମଳ କରି ଦେଉଛି ଚାଷୀ । ବଣୁଆ ହାତୀ ଏବଂ ବାରହା ମୁହଁରୁ ଫସଲକୁ ସିନା ବଞ୍ଚାଇ ଦେଲେ, ହେଲେ ଏବେ ବାତ୍ୟା ଓ ବର୍ଷାର ପ୍ରକୋପରୁ ଫସଲକୁ କେମିତି ରକ୍ଷା କରିବେ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି କରିଛି ଅଗ୍ନିଶମ ବିଭାଗ । ଧନଜୀବନ ହାନିକୁ ରୋକିବା ସହ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ସମୟରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫା କରିବା ପାଇଁ ଛତ୍ରପୁର ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି ।

