ତିହିଡି, ୨୫.୧୦ : ୫୨ ବର୍ଷରେ ପଦାର୍ପଣ କଲା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହାସ୍ଥିତ ଲକ୍ଷ୍ମୀନାରାୟଣ ପୂଜା ପରମ୍ପରା । ଏହି ବାର୍ଷିକ ଉତ୍ସବକୁ ଅଧିକ ସରସ ସୁନ୍ଦର କରିବା ଲାଗି ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ଚଳିତ ମାସ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୈନିକ ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପେରା ପାର୍ଟିର ବ୍ୟବସ୍ଥା କରାଯାଇଛି । ଭଦ୍ରକ-ଚାନ୍ଦବାଲି ରାଜପଥ ପାଶ୍ୱର୍ରେ ଏହି ପୂଜାକୁ ଦର୍ଶନ କରିବା ଲାଗି ଶହସ୍ରାଧିକ ଭକ୍ତଙ୍କ ସାମଗମ ହୋଇଥାଏ । କୁମାର ପୂର୍ଣ୍ଣିମା ସଂଧ୍ୟାରେ କଳସ ଶୋଭାଯାତ୍ରା ବାହାରିଥାଏ । ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥାନ୍ତି । ରାତିରେ ଚକ୍ଷୂଦାନ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରଭୁଙ୍କ ନିକଟରେ ହଜାର ହଜାର ନେତ୍ରପଣା ଆଟିକା ଭୋଗ ଲାଗିଥାଏ । ମାନସିକଧାରୀମାନେ ନେତ୍ରପଣା ସେବନ କରି ବ୍ରତ ଭାଙ୍ଗିଥାନ୍ତି । କିଏ ବିବାହିତ ବା କିଏ ଅବିବାହିତ ସମସ୍ତେ ଏହି ପୂଜାରେ ମାନସିକ ରଖିବା ସହ ଉପବାସ କରି ସାନିଧ୍ୟଲାଭ କରିଥାନ୍ତି । ଏକ ସପ୍ତାହ ବ୍ୟାପୀ ଏହି ଅଞ୍ଚଳର ଏହା ଏକ ଡାକୁଆ ପର୍ବ ଭାବେ ବେଶ ପରିଚିତ ହୋଇ ଆସୁଅଛି । ଏହି ପୂଜା ସ୍ଥାନୀୟ ଅଞ୍ଚଳର ଏକ ମିଳନର ପର୍ବ ବୋଲି କୁହାଯାଏ । ବିବାହିତ ହେଉ ଅଥବା ଅବିଭାହିତ, ବାହାରେ ରହି ପାଠ ପଢୁଥିବା ଯୁବକ/ଯୁବତୀ ହେଉ ଅଥବା କର୍ମ ସଂସ୍ଥାନରେ ଥାଉ ପ୍ରାୟ ସମସ୍ତେ ଏହି ପୂଜାରେ ଗାଁ ଆସିଥାନ୍ତି ଏବଂ ଆନନ୍ଦ ଉଲ୍ଲାସରେ ପରସ୍ପର ମଧ୍ୟରେ ଭେଟଭାଟ ହୋଇଥାଏ । ମନ୍ଦିର ପଡିଆ ସହିତ ରାସ୍ତାର ଦୁଇ ପାଶ୍ୱର୍ରେ ମେଳା ଲାଗିଛି । ଏଥିସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ବାରମଜା, ଜଳଖିଆ, ଫାଷ୍ଟଫୁଡ୍, ଚାର୍ଟ ଓ ଘରକରଣା ସାମଗ୍ରୀର ଭରପୁର ହୋଇଛି ଏହି ମେଳା । ମନ୍ଦିର ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏପଟେ ଆରୁହା ଛକ ପର୍ଯ୍ୟନ୍ତ ଉଜ୍ଜଳ ଆଲୋକମାଳାରେ ସଜେଇ ହୋଇଛି । ପୂଜକ ସୀତାକାନ୍ତ ପଣ୍ଡା ଓ କର୍ତ୍ତାଭାବେ ପୂର୍ଣ୍ଣଚନ୍ଦ୍ର ଦାସ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୂଜା କମିଟିର ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଦେବେନ୍ଦ୍ରନାଥ ବାରିକ, ଉପଦେଷ୍ଟା ହରିହର ସେନାପତି, ମୁରଲୀଧର ବାରିକ, ଭାଗିରଥି ବେହେରା, ଗୋଲକ ବିହାରୀ ମଲ୍ଲିକ, କରୁଣାକର ନାୟକ, ବଳରାମ ମଲ୍ଲିକ, ଉପସଭାପତି ସରୋଜ ନାୟକ, ଦେବେନ୍ଦ୍ର ବାରିକ, ନିରଞ୍ଜନ ନାୟକ, ବାଙ୍କବିହାରୀ ମଲ୍ଲିକ, ଗଙ୍ଗାଧର ଦାସ, ଲକ୍ଷ୍ମୀଧର ଦାସ, ଅନିରୁଦ୍ଧ ବାରିକ, ସୁକାନ୍ତ ନାୟକ, ପ୍ରକାଶ ନାୟକ, ପାର୍ଥସାରଥି ପୃଷ୍ଟି, ଶଶିକାନ୍ତ ସାମଲ, ମୁରଲୀଧର ଦାସ, ଜନ୍ମେଜୟ ବାରିକ, ରତିକାନ୍ତ ନାୟକ ପ୍ରମୁଖ ସଭ୍ୟ ଓ ଗ୍ରାମବାସୀ ପରିଚାଳନା କରୁଥିବା ଜଣାଯାଇଛି । ତେବେ ମାତ୍ରାଧିକ ଭିଡକୁ ଏବଂ ସାମ୍ଭାବ୍ୟ ପକେଟମାର ପ୍ରତି ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପୋଲିସ ପ୍ରଶାସନ ସହିତ ଯୁବଗୋଷ୍ଠି ସଂଧ୍ୟାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ପହରା ମାରିବେ ବୋଲି ସୂଚନା ମିଳିଛି । ସୂଚନା ଥାଉକି, ଏହି ୧୯୭୪ ମସିହାରୁ ପାଳନ କରାଯାଉଅଛି । ଅଞ୍ଚଳବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ୨୦୧୫ ମସିହାରେ ଏକ ଭବ୍ୟ ଓ ସୁନ୍ଦର ମନ୍ଦିର ସ୍ଥାପିତ ହୋଇ ମାର୍ବଲ ପଥରର ମୂର୍ତ୍ତୀରେ ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବିରାଜମାନ ହୋଇଛନ୍ତି ।

