ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ସକାଳ ୫ଟା ୩୦ରେ ଗଭୀର ଅବପାତ ନେଲା ବାତ୍ୟାର ରୂପ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ଅତି ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ଅର୍ଣ୍ଣବ’ । ୨୮ ତାରିଖରେ ବାପଟ୍ଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ଗୋପାଳପୁରଠାରୁ ୩୦୦ କିମି ଦୂରରେ ମାଡ଼ ହେବ ବାତ୍ୟା ‘ଅର୍ଣ୍ଣବ’! । ବାତ୍ୟାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନ ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବର ଆକଳନ ମଧ୍ୟ ବଦଳିପାରେ । ଓଡ଼ିଶାରେ ସିଧାସଳଖ ମାଡ଼ ହେବନି ବାତ୍ୟା, କିନ୍ତୁ ପଡ଼ିବ ପ୍ରଭାବ ।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଆସନ୍ତା ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସଦ୍ୟତମ ପୂର୍ବାନୁମାନ ଅନୁସାରେ ବାପଟଲାରୁ ବିଶାଖାପାଟଣା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସ୍ଥାନ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିବ ବୋଲି ଆକଳନ କରାଯାଉଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଟକା ପବନ ବହିବାର ଆଶଙ୍କା ରହିଛି ।
ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା, ୨୮ରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ୨୯ରେ ପୁଣି ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି । ବାତ୍ୟାର ସମ୍ଭାବ୍ୟ ଗତିପଥକୁ ଦେଖିଲେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ । ଗୋପାଳପୁର ଓ ବ୍ରହ୍ମପୁରରେ ପ୍ରବଳ ବର୍ଷା ସହ ଝଟକା ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବା ସହ ତଳିଆ ଅଞ୍ଚଳରେ ପାଣି ଜମିବା, ବିଦ୍ୟୁତ୍ ସରବରାହ ଓ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଭୁବନେଶ୍ୱର ଓ କଟକରେ ମଧ୍ୟ ବାତ୍ୟାର ପରୋକ୍ଷ ପ୍ରଭାବ ପଡ଼ିପାରେ ।

