ବାରଙ୍ଗ: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଜୋରଦାର ପ୍ରସ୍ତୁତି । ଅକ୍ଟୋବର ୨୮ ତାରିଖରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । କିନ୍ତୁ ଏହାର ମୁକାବିଲା ପାଇଁ ଦୁଇ ରାଜ୍ୟ ଯେତିକି ସଂଖ୍ୟାରେ ବିପର୍ଯ୍ୟୟ ପ୍ରଶମନ ଟିମ୍ ପ୍ରସ୍ତୁତ ରଖିଛନ୍ତି ତାହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶରେ ବାତ୍ୟା ସିଧାସଳଖ ମାଡ଼ ହେବାର ସମ୍ଭାବନା ରହିଛି । ହେଲେ ସେଠାରେ ୨୧ଟି ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ଓଡ଼ିଶାରେ ୭୭ଟି ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ କାହିଁକି?
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ବାତ୍ୟା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଜୀବନହାନି ରୋକିବା, ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଖାଦ୍ୟ ଓ ପାନୀୟଜଳ ଯୋଗାଣ ଏବଂ ବିଦ୍ୟୁତ୍ ସେବା ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଆନ୍ଧ୍ର ସରକାରଙ୍କ ସୂଚନା ଅନୁସାରେ, ୧୦ଟି ଏନଡିଆରଏଫ୍ ଏବଂ ୧୧ଟି ଏସଡିଆରଏଫ୍ ଟିମ୍ ଅର୍ଥାତ୍ ମୋଟ ୨୧ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ବିପଦପୂର୍ଣ୍ଣ ଅଞ୍ଚଳରେ କଣ୍ଟ୍ରୋଲ ରୁମ୍ ଖୋଲିବା, ଲୋକଙ୍କ ମୋବାଇଲକୁ ସତର୍କ ସୂଚନା ପଠାଇବା ଏବଂ ସମୁଦ୍ରକୁ ଯାଇଥିବା ମାଛଧରା ଡଙ୍ଗାଗୁଡ଼ିକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରସ୍ତୁତି ସମ୍ପର୍କିତ ସୂଚନା ଅନୁସାରେ, ବାତ୍ୟା ଅକ୍ଟୋବର ୨୮ରେ ବାପଟଲାରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ।
ବିଶେଷକରି କୋନାସୀମା, ୟାନମ୍ ଓ କାକିନାଡା ଉପକୂଳ ଉପରେ ନଜର ରଖାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଓଡ଼ିଶାରେ ୭୭ ଟିମ୍, ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ଅଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ବାତ୍ୟାର ସମ୍ଭାବ୍ୟ ପରୋକ୍ଷ ପ୍ରଭାବକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପ୍ରକାଶିତ ସୂଚନା ଅନୁସାରେ, ରାଜ୍ୟରେ ୬୦ଟି ଓଡ୍ରାଫ୍ ଏବଂ ୧୭ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଏହାବ୍ୟତୀତ ୨୨୫ଟି ଅଗ୍ନିଶମ ସେବା ଟିମ୍ କୁ ହାଇଆଲର୍ଟରେ ରଖାଯାଇଛି ।

