ବଢ଼ିଲା ଓମଫେଡ୍ କ୍ଷୀର ଦର । ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି । ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ବା ଓମଫେଡ୍ ପକ୍ଷରୁ ଦୁଗ୍ଧର ବିକ୍ରୟ ମୂଲ୍ୟ ବୃଦ୍ଧି କରାଯାଇଛି । ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି ପାଇଥିବାରୁ ଓମଫେଡ୍ କର୍ତ୍ତୃପକ୍ଷ ଖାଉଟି ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ଦର ଅନୁଯାୟୀ, ଟୋନଡ୍ ଦୁଗ୍ଧର ଲିଟର ପିଛା ଖାଉଟି ମୂଲ୍ୟ ୪୫ ଟଙ୍କା ଏବଂ ପ୍ରିମିୟମ ଦୁଗ୍ଧର ମୂଲ୍ୟ ୫୨ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସେହିପରି ଗୋଲ୍ଡ ପ୍ରିମିୟମ ପ୍ଲସ ଦୁଗ୍ଧ ଏବେ ଲିଟର ପିଛା ୬୪ ଟଙ୍କା ଏବଂ ଗୋଲ୍ଡ ପ୍ରିମିୟମ ଦୁଗ୍ଧ ୬୦ ଟଙ୍କାରେ ବିକ୍ରି ହେବ । ଏହି ବର୍ଦ୍ଧିତ ମୂଲ୍ୟ ସହିତ ଏଜେଣ୍ଟମାନଙ୍କୁ ଦିଆଯାଉଥିବା ରିହାତି ଏବଂ ସଞ୍ଚୟ ଯୋଜନାରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ଓମଫେଡ୍ ପକ୍ଷରୁ ପ୍ରକାଶିତ ଏହି ନିର୍ଦ୍ଦେଶନାମା ଅନୁଯାୟୀ, ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଅତିରିକ୍ତ ବୋଝ ପଡ଼ିବ ।

