ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସାମ୍ବିଧାନିକ ଅଧିକାର କୁ ଅକ୍ତିଆର କରୁଛନ୍ତି ଅଣ ଏସଟି ଏସସି ପ୍ରାର୍ଥୀ..ସଂସଦରେ ଗୁଞ୍ଜିଲା ନକଲି ଜାତି ପ୍ରମାଣପତ୍ର ମାମଲା.
ନୂଆଦିଲ୍ଲୀ, ୩୧ ମାର୍ଚ୍ଚ:
ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ସଂସଦରେ ଜାଲ ଜାତି ପ୍ରମାଣପତ୍ର ବ୍ୟବହାର ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କଡାଭାବରେ କାର୍ଯ୍ୟକାରି କରିବାକୁ ଦାବି କରିଛନ୍ତି।
ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ସାଧାରଣ ବର୍ଗ ର ଅଯୋଗ୍ୟ ବ୍ୟକ୍ତିମାନେ ଜାଲିଆତି କରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦ୍ୱାରା ସଂରକ୍ଷଣ ରେ ସରକାରୀ ଚାକିରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ରେ ଭର୍ତ୍ତି, ଏସଟି ଏସସି ଜମି କ୍ରୟ, ଏବଂ ବିଭିନ୍ନ ସରକାରୀ ସୁବିଧା ଉପଭୋଗ କରୁଛନ୍ତି।
ଏହା ଭାରତୀୟ ସଂବିଧାନର ଧାରା ୧୫ (4), ୧୬ (4), 46, ୩୩୮ ଓ ୩୩୮ (କ )ର ସ୍ପଷ୍ଟ ଉଲ୍ଲଂଘନ ବୋଲି ସାଂସଦ ଶ୍ରୀ ବିଶି କହିଛନ୍ତି।
ଶ୍ରୀ ବିଶି ଦାବି କରିଛନ୍ତି:
ଜାଲ ଜାତି ପ୍ରମାଣପତ୍ର ତୁରନ୍ତ ରଦ୍ଧ କରାଯାଉ,
ବେଆଇନ ଉପାୟରେ ଚାକିରି ପାଇଥିବା ଅଣ ଅନୁସୂଚିତ ଜାତି / ଜନଜାତି କର୍ମଚାରୀ ଓ ଅଧିକାରୀ ଙ୍କୁ ଚାକିରୀ ରୁ ବହିସ୍କୃତ କରାଯାଉ,
ସମସ୍ତ ଅବୈଧ ସମ୍ପତ୍ତି ସରକାର ଅସୁଳି କରନ୍ତୁ ବୋଲି ଶ୍ରୀ ବିଶି ଦାବୀ କରିଛନ୍ତି l
ରାଜ୍ୟସଭା ରେ ସାଂସଦ ନିରଞ୍ଜନ ବିଶି ଆହୁରି ଖୋଭ ପ୍ରକାଶ କରିଥିଲେ ଯେ ହାଇ କୋର୍ଟରେ ଷ୍ଟେ ଅର୍ଡର ଦ୍ୱାରା ନକଲି ଏସଟି ଏସସି ମାନେ ବର୍ଷ ବର୍ଷ ଧରି ଚାକିରୀ କରୁଛନ୍ତି l ଏସଟି ଏସସି ପାଇଁ ଉଦ୍ଧିଷ୍ଟ ଅନ୍ୟାନ୍ୟ ସରକାରୀ ସୁବିଧା ପାଉଛନ୍ତି, ତେଣୁ ଏହାର ସମୟସୀମା ମଧ୍ୟରେ ସମାଧାନ ଆବଶ୍ୟକ।
ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଅଧିକାର ସୁରକ୍ଷା କରିବା ସରକାରଙ୍କ ନୈତିକ ଓ ସଂବିଧାନିକ କର୍ତ୍ତବ୍ୟ,” ବୋଲି ଶ୍ରୀ ବିଶି ଉଲ୍ଲେଖ କରିଛନ୍ତି ।

