ପୁରୀ,୯/୭-ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବାହୁଡା ଯାତ୍ରା ଓ ସୁନାବେଶ ୨୦୨୬ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସୁଗମ ଯାତାୟାତକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ସମଙ୍ଗରା ଅଞ୍ଚଳରେ ଏକ ବିସ୍ତୃତ ସ୍ଥଳ ପରିଦର୍ଶନ ଓ ରୁଟ୍ ସମୀକ୍ଷା କରାଯାଇଛି।ଏହି ସ୍ଥଳ ପରିଦର୍ଶନରେ ଅତିରିକ୍ତ ଏଡିଜି ସମ୍ୟେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସପି ପ୍ରତୀକ ସିଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ୍ ୱିଙ୍ଗର ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମଗ୍ର ଅଞ୍ଚଳର ରାସ୍ତା ଓ ଯାତାୟାତ ବ୍ୟବସ୍ଥାର ସମୀକ୍ଷା କରିଥିଲେ।ପରିଦର୍ଶନ ସମୟରେ ସମଙ୍ଗରା ଅଞ୍ଚଳର ସମସ୍ତ ସଂଯୋଗକାରୀ ରାସ୍ତା, ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ ମାର୍ଗ, ବସ୍, କାର୍ ଓ ଅନ୍ୟାନ୍ୟ ହାଲୁକା ଓ ଭାରୀ ଯାନର ନିର୍ବିଘ୍ନ ଗମନାଗମନ ବ୍ୟବସ୍ଥା, ରାସ୍ତାର ପ୍ରସ୍ଥ, ମୋଡ଼, ବିକଳ୍ପ ମାର୍ଗ ଏବଂ ସମ୍ଭାବ୍ୟ ଟ୍ରାଫିକ୍ ଚାପକୁ ଦୃଷ୍ଟିରେ ରଖି ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷକରି ଯେଉଁ ସ୍ଥାନରେ ରାସ୍ତାର ଉନ୍ନତିକରଣ, ପ୍ରଶସ୍ତୀକରଣ କିମ୍ବା ମରାମତି ଆବଶ୍ୟକ, ସେସବୁ ସ୍ଥାନକୁ ଚିହ୍ନଟ କରାଯାଇ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଶୀଘ୍ର କାର୍ଯ୍ୟ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରଥଯାତ୍ରା ସମୟରେ ହଜାର ହଜାର ବସ୍, ବ୍ୟକ୍ତିଗତ କାର୍ ଏବଂ ଅନ୍ୟାନ୍ୟ ଯାନବାହନ ଏହି ରୁଟ୍ ବ୍ୟବହାର କରିବାର ସମ୍ଭାବନା ଥିବାରୁ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଯାତାୟାତଯୋଗ୍ୟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଏସପି ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ଅବସରରେ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପୁରୀ ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ସେଥିପାଇଁ ଯାତାୟାତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଯାନବାହନର ନିରବିଘ୍ନ ଚଳାଚଳ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୂର୍ବରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କରାଯାଉଛି।
ପରିଦର୍ଶନ ସମୟରେ ରାସ୍ତାରେ ଥିବା ସମ୍ଭାବ୍ୟ ବାଧା, ସଂକୀର୍ଣ୍ଣ ସ୍ଥାନ, ଟ୍ରାଫିକ୍ ବଟଲନେକ୍, ପାର୍କିଂ ସଂଯୋଗ ମାର୍ଗ, ଜରୁରୀକାଳୀନ ଯାନ ଚଳାଚଳ ପାଇଁ ବିକଳ୍ପ ରୁଟ୍ ଏବଂ ଆପତ୍କାଳୀନ ପରିସ୍ଥିତିରେ ଦ୍ରୁତ ପ୍ରତିକ୍ରିୟା ବ୍ୟବସ୍ଥା ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା। ପୁରୀ ପୋଲିସ ପକ୍ଷରୁ ସଡ଼କ ନିର୍ମାଣ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରଖି ଆବଶ୍ୟକ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା ସହିତ ରଥଯାତ୍ରା ପୂର୍ବରୁ ସମସ୍ତ ରୁଟ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି।ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ସ୍ଥଳ ପରିଦର୍ଶନ, ସମୀକ୍ଷା ଓ ସମନ୍ୱୟ ବୈଠକ ଜାରି ରଖି ରଥଯାତ୍ରା-୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରୁଛି।

