ପୁରୀ,୯/୭-ପବିତ୍ର ରଥଯାତ୍ରା, ବାହୁଡା଼ ଯାତ୍ରା ଏବଂ ସୁନାବେଶ ୨୦୨୬ ଅବସରରେ ପୁରୀକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ, ସୁରକ୍ଷିତ ଓ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଅଟୋ ସଂଘର ପଦାଧିକାରୀ ମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଏସପି ସଚିନ ପଟେଲ, ଟ୍ରାଫିକ୍ ଡିଏସ୍ପି ବିଜୟ ରତ୍ନମ, ଆଇଆଇସି ଟ୍ରାଫିକ୍ ସଙ୍ଗୀତା ଦାଶ, ଆର୍ଟିଓ ପୁରୀ, ଏମ୍ଭିଆଇ ଏବଂ ପୁଲିସ ଓ ପରିବହନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଟୋ ସଂଘର ପଦାଧିକାରୀ ଓ ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ନିଜ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବୈଠକରେ ଅଟୋରିକ୍ସା ଚଳାଚଳ ପାଇଁ ନିର୍ଦ୍ଧାରିତ ରୁଟ୍, ପାର୍କିଂ ବ୍ୟବସ୍ଥା, ଯାତ୍ରୀ ଉଠାଣି ଓ ଓହ୍ଲାଣି ସ୍ଥାନ, ଭଡ଼ା ନିର୍ଦ୍ଧାରଣ, ଯାତାୟାତ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ପ୍ରଶାସନ ପକ୍ଷରୁ ଜାରି ହେବାକୁ ଥିବା ଟ୍ରାଫିକ୍ ଆଡଭାଇଜରୀର ସଠିକ୍ ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ ସମୟରେ ବିପୁଳ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଟୋ ସେବାକୁ ସୁଚାରୁ, ଶୃଙ୍ଖଳିତ ଓ ଯାତ୍ରୀବନ୍ଧବ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯାତ୍ରୀଙ୍କ ସହ ସୌଜନ୍ୟମୂଳକ ବ୍ୟବହାର କରିବା, ନିର୍ଦ୍ଧାରିତ ସ୍ଥାନରୁ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ସହିତ ସମସ୍ତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅଟୋ ଚାଳକମାନଙ୍କୁ ଅନୁରୋଧ କରାଯାଇଥିଲା। ପୁରୀ ପୋଲିସ ପକ୍ଷରୁ ଅଟୋ ସଂଘକୁ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା, ଯାତାୟାତ ପରିଚାଳନାରେ ପୁଲିସ ଓ ପରିବହନ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରିବା ଏବଂ ରଥଯାତ୍ରାର ସମସ୍ତ ପର୍ବ ସମୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ ଜଣାଯାଇଥିଲା। ପୁରୀ ପୋଲିସ ସମସ୍ତ ସମ୍ପୃକ୍ତ ବିଭାଗ ଓ ପରିବହନ ସଂଗଠନଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରାର ପ୍ରତ୍ୟେକ ପର୍ବକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଭକ୍ତମାନଙ୍କ ପାଇଁ ସୁଗମ କରିବାକୁ ପ୍ରତିବଦ୍ଧ।

