ଭୁବନେଶ୍ୱର : ଶହେ ଦିନରେ ବଦଳିଗଲା ସମୀକରଣ । ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାରରୁ ଜେଲ୍ ଡିଜି ପଦରୁ ବଦଳି । ଏବେ ଦୁଇଟି ଅପରାଧିକ ମାମଲା । ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ପିଛା ଛାଡ଼ୁନି ବିବାଦ । ମାତ୍ର ଶହେ ଦିନ ଭିତରେ ବଦଳିଯାଇଛି ପୂରା ସମୀକରଣ । ଦିନେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବା DGP ପଦ ପାଇଁ ପ୍ରମୁଖ ଦାବିଦାର ଥିଲେ ୧୯୯୩ ବ୍ୟାଚର ଏହି IPS ଅଧିକାରୀ । ଏବେ ତାଙ୍କ ବିରୋଧରେ ରୁଜୁ ହୋଇଛି ଦୁଇ ଦୁଇଟି ଅପରାଧିକ ମାମଲା। ପ୍ରଥମେ DGP ଚୟନକୁ ନେଇ ବିବାଦ, ପରେ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର । ଏହାପରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ଜେଲ୍ ଡିଜି ପଦରୁ ବଦଳି ଏବଂ ଏବେ ଜଣେ ବିଚାରାଧୀନ କଏଦୀଙ୍କୁ ମିଥ୍ୟା ଡ୍ରଗ୍ସ ମାମଲାରେ ଫସାଇବାକୁ ଚାପ ପକାଇଥିବା ଅଭିଯୋଗ । କେବେ ଆରମ୍ଭ ହୋଇଥିଲା ବିବାଦ? କେମିତି ବଢ଼ିଲା ସୁଶାନ୍ତ ନାଥଙ୍କ ଅଡ଼ୁଆ? ନଜର ପକାଇବା ଗତ ଶହେ ଦିନର ଘଟଣାକ୍ରମ ଉପରେ ।
୧୩ ଅଗଷ୍ଟ, ୨୦୨୬ — DGP ଦୌଡ଼ରେ ସୁଶାନ୍ତ ନାଥ । ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ଚୟନ ପାଇଁ UPSCକୁ ପଠାଯାଇଥିବା ୧୧ ଜଣିଆ IPS ଅଧିକାରୀଙ୍କ ତାଲିକାରେ ରହିଥିଲା ସୁଶାନ୍ତ ନାଥଙ୍କ ନାଁ। DGP ପଦ ପାଇଁ ସେ ଥିଲେ ଅନ୍ୟତମ ପ୍ରମୁଖ ଦାବିଦାର। ତେବେ ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗକୁ ନେଇ ବିବାଦ ଘନେଇଥିଲା । DGP ଚୟନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୧୬ ଅଗଷ୍ଟ — ବିନୟତୋଷ ମିଶ୍ର ହେଲେ ଭାରପ୍ରାପ୍ତ DGP । ସ୍ଥାୟୀ DGP ନିଯୁକ୍ତିକୁ ନେଇ ଆଇନଗତ ଅନିଶ୍ଚିତତା ଭିତରେ ବରିଷ୍ଠ IPS ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ସେପ୍ଟେମ୍ବର ପ୍ରଥମ ସପ୍ତାହ — ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର । ପୋଲିସ SI ନିଯୁକ୍ତି ଦୁର୍ନୀତିର CBI ତଦନ୍ତ ପରିପ୍ରେକ୍ଷୀରେ ସୁଶାନ୍ତ ନାଥଙ୍କ ଅଡ଼ୁଆ ବଢ଼ିଥିଲା । ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିନେଇଥିଲେ ରାଜ୍ୟ ସରକାର ।
ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଶାନ୍ତ ନାଥ। ୩୦ ସେପ୍ଟେମ୍ବର — ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ । ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର ସଂକ୍ରାନ୍ତ ବିବାଦର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ସେବେଠାରୁ ଏହି ରାୟ ଉପରେ ନଜର ରହିଛି । ୧୩ ଅକ୍ଟୋବର — ବାଲେଶ୍ୱର ଜେଲରଙ୍କୁ ନିଲମ୍ବନ । ବାଲେଶ୍ୱର ଜିଲ୍ଲା ଜେଲର ତତ୍କାଳୀନ ଜେଲର ପ୍ରଦୀପ୍ତ କୁମାର ମହାଲିଙ୍ଗଙ୍କୁ ନିଲମ୍ବିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଲମ୍ବନ ପଛରେ ଅନ୍ୟ କାରଣ ଥିବା ଦର୍ଶାଇ ସୁଶାନ୍ତ ନାଥଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ଜେଲର । ୩୧ ଅକ୍ଟୋବର — ଚୌଦ୍ୱାର ଥାନାରେ ପ୍ରଥମ FIR । ଚୌଦ୍ୱାର ଜେଲର ପୂର୍ବତନ ମହିଳା ଜେଲର ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ମାନସିକ ଚାପ ପକାଇବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା ।
୧ ନଭେମ୍ବର — ଜେଲ୍ ଡିଜି ପଦରୁ ହଟିଲେ । ପ୍ରଥମ FIR ରୁଜୁ ହେବାର ପରଦିନ ସୁଶାନ୍ତ ନାଥଙ୍କୁ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ପଦରୁ ହଟାଇଥିଲେ ରାଜ୍ୟ ସରକାର । ତାଙ୍କୁ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ବା OSD ଭାବେ ବଦଳି କରାଯାଇଥିଲା । ୩ ନଭେମ୍ବର — ହାଇକୋର୍ଟଙ୍କ ଦ୍ୱାରସ୍ଥ ସୁଶାନ୍ତ ନାଥ । ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା FIRକୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଶାନ୍ତ ନାଥ। । ୨୨ ନଭେମ୍ବର — କ୍ୟାପିଟାଲ ଥାନାରେ ଦ୍ୱିତୀୟ FIR । ପ୍ରଥମ ମାମଲାର ଆଇନଗତ ପ୍ରକ୍ରିୟା ଚାଲିଥିବା ବେଳେ ସୁଶାନ୍ତ ନାଥଙ୍କ ବିରୋଧରେ ରୁଜୁ ହୋଇଛି ଆଉ ଏକ ଅପରାଧିକ ମାମଲା। ବାଲେଶ୍ୱର ଜିଲ୍ଲା ଜେଲର ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଲିଙ୍ଗଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଦ୍ୱିତୀୟ FIR ରୁଜୁ ହୋଇଛି ।
ଅଭିଯୋଗ ଅନୁଯାୟୀ, ରାଜୀବ ଲୋଚନ ଦାସ ନାମକ ଜଣେ ବିଚାରାଧୀନ କଏଦୀଙ୍କ ପକେଟରେ ବ୍ରାଉନସୁଗାର ରଖି ତାଙ୍କୁ ମିଥ୍ୟା ନିଶାଦ୍ରବ୍ୟ ମାମଲାରେ ଫସାଇବା ପାଇଁ ଚାପ ପକାଉଥିଲେ ସୁଶାନ୍ତ ନାଥ। ଏଥିରେ ରାଜି ନହେବାରୁ ଅକ୍ଟୋବର ୧୩ରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଜେଲର। BNSର ଦଫା ୨୩୨(୧) ଓ ୩୫୧(୨)ରେ ମାମଲା ରୁଜୁ ହୋଇଛି। ୨୪ ନଭେମ୍ବର — ବିଧାନସଭାରେ DGP ଚୟନ ପ୍ରସଙ୍ଗ । DGP ଚୟନ ପ୍ରସଙ୍ଗରେ ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

