ତିହିଡି,- ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ରାସପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ତିହିଡ଼ି ଯୁବମଞ୍ଚ’ ପକ୍ଷରୁ ଏକ ଆକର୍ଷଣୀୟ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ସି.ଆର.ଏସ. ହାଇସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମୋଟ ୭୨ ଜଣ ଛାତ୍ରୀ ଅଂଶଗ୍ରହଣ କରି ନିଜ ମୁରୁଜ ଦ୍ୱାରା ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବୋଇତ ବନ୍ଦାଣର ଅନନ୍ୟ ଚିତ୍ର ଅଙ୍କନ କରିଥିଲେ। ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂଯୋଜକ ଆଇନଜୀବୀ ନୀଳମାଧବ ସେନାପତି, ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ସମାଜସେବୀ ମନୋଜ ସେନାପତି, କୋଷାଧକ୍ଷ ସନାତନ ସାହୁ, ସହ-ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ ପତି ଏବଂ ବିଚାରକ ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭାତ ଜେନା ଓ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ମଞ୍ଚାସୀନ ରହି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ ରାସପୂର୍ଣ୍ଣିମା ତଥା ବୋଇତ ବନ୍ଦାଣର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଲୁପ୍ତପ୍ରାୟ ଲୋକକଳା ଓ ସଂସ୍କୃତିକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ତଥା ଉଜ୍ଜୀବିତ ରଖିବା ଦିଗରେ ତିହିଡ଼ି ଯୁବମଞ୍ଚର ଏଭଳି ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ସଭାପତି କୈଳାସ ବେହେରା ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ନିରଞ୍ଜନ ବାରିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ। ଏହି ଅବସରରେ ସମାଜସେବୀ ସରିତ ମାହୁନ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛୁ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଦିବ୍ୟାଶା ଦାସ (ପ୍ରଥମ), ଶୁଭଲକ୍ଷ୍ମୀ ବଳ (ଦ୍ୱିତୀୟ), ଏସ.ଏନ. ଚିତ୍ରଲେଖା ଓ ଅନନ୍ୟା ପ୍ରିୟଦର୍ଶନୀ ଦାସ (ଯୁଗ୍ମ ତୃତୀୟ)। ବରିଷ୍ଠ ବର୍ଗରେ ମଧୁସ୍ମିତା ସାହୁ (ପ୍ରଥମ), ଶୁଭଲକ୍ଷ୍ମୀ ମାହୁନ୍ତ (ଦ୍ୱିତୀୟ), ଅଞ୍ଜନା ପରିଡ଼ା ଓ ସସ୍ମିତା ପ୍ରଧାନ (ଯୁଗ୍ମ ତୃତୀୟ)। ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଗଠନର ସଦସ୍ୟ ଜିତେନ୍ଦ୍ର ନାୟକ, ରେଣୁବାଳା ନାଥ, ସୁରେଶ ନାୟକ ଅଲେଖ ବଳ, ସତ୍ୟବାଦୀ କୁଣ୍ଡ, ଅଭିଜିତ ନାୟକ, ସୟଦ ରଫିକ, ଅଜିତ ଜେନା ଓ ନୀଳାମ୍ବର ସେଠୀ ପ୍ରମୁଖ ସକ୍ରିୟ ସହଯୋଗ ଓ ପରିଚାଳନା କରିଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

