ତିହିଡି, ୨୪.୧୧: ଓଡିଶା ଜଗନ୍ନାଥ ସଂସ୍କୃତିର ବାର ମାସରେ ତେର ପର୍ବ । ତନ୍ମଧ୍ୟରୁ କାର୍ତ୍ତର୍ିକ ଧର୍ମ ମାସରେ ରାହାସ ପୂର୍ଣ୍ଣମୀ ନିଆରା । ମାସସାରା ନିରାମିଶ ଭୋଜନ ସହ ଧାର୍ମିକ ମାନସିକତା ପ୍ରଚଳିତ ହିନ୍ଦୁ ସମାଜ ଭାଗବତ ପାରାୟଣ ଶ୍ରବଣ କରିଥାନ୍ତି । ଏଥିସହ ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ବହନ କରୁଥିବା କାର୍ତ୍ତର୍ିକ ପୂର୍ଣ୍ଣମୀକୁ ଧୂମଧାମରେ ପାଳନ କରାଯାଏ । ଏହି ଅବସରରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଂଚାୟତ ଅଧିନ ରାଢଙ୍ଗ ଗ୍ରାମରେ ତ୍ରିଂଶତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମହାସମାରୋହରେ ପାଳିତ ହୋଇଥିବା ବେଳେ ମଙ୍ଗଳବାର ଏହା ସମାହିତ ହୋଇଯାଇଛି ।

ଏହି ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବାସୁଦେବଜୀଉ ହରିହରଧାମରେ ଅଁଳା ନବମୀରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭାଗବତ ପାରାୟଣ ମଙ୍ଗଳବାର ରାହାସ ପୂର୍ଣ୍ଣମୀରେ ଉଦ୍ଯାପିତ ହୋଇଯାଇଛି । ଏଠାରେ ବାସୁଦେବ ଓ ସଦ୍ଧେଶ୍ୱର ପୂଜା ପାଆନ୍ତି । ରାଢଙ୍ଗ ଗ୍ରାମ ସମେତ ଆଖପାଖ ଅଂଚଳର ୧୦ ଖଣ୍ଡ ଗାଁଆର ଭକ୍ତମାନେ ରୁଣ୍ଡିଭୁତ ହୋଇ ଥାଆନ୍ତି । ଦୈନିକ ଭାଗବତ ପାରାୟଣ ସହିତ ଭଜନ, ସଂକିର୍ତ୍ତନ ଆଦି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଉଦ୍?ଯାପନୀ ସମାରୋହରେ ସ୍ଥାନୀୟ କଳାକାରମାନଙ୍କର ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ମଧ୍ୟହ୍ନରେ ଏକ ବିଶାଳ ହରିହାଟର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ଶହସ୍ରାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ପୂଜକଭାବେ ଅପୂର୍ବ ଦୀକ୍ଷିତ, ବୈକୁଣ୍ଠ ପାଣିଗ୍ରାହୀ ଓ ସୁବାଶ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ କମିଟିର ସଭାପତି ନରେନ୍ଦ୍ର ସେନାପତି ଓ ସମ୍ପାଦକ ରବିନାରାୟଣ ଦୀକ୍ଷିତଙ୍କ ସମେତ ସମସ୍ତ ସଭ୍ୟ ପ୍ରତାପ ସେନାପତି, ଶରତ ସେନାପତି, ଶିବ ଦୀକ୍ଷିତ, ବ୍ରଜେଶ ସେନାପତି, ସଞ୍ଜିବ ଦୀକ୍ଷିତ, ଦାଶରଥି ମାଝୀ, ମଧୁ ବାରିକ ଓ ଗ୍ରାମବାସୀ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

