ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ସଂଶୋଧନ) ବିଲ୍ -୨୦୨୬ । ଏହା ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ଇକୋନୋମିକ୍ ରିଜିଅନ୍ ଡେଭଲପମେଣ୍ଟ ଅଥରିଟି (ERDA) ଗଠନ ପାଇଁ ପଥ ପରିଷ୍କାର ହୋଇଛି । ବଡ଼ ସହର, ଛୋଟ ସହର ଓ ଗ୍ରାମାଞ୍ଚଳକୁ ନେଇ ସମନ୍ୱିତ ବିକାଶ ଯୋଜନା ପ୍ରସ୍ତୁତ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ । ପ୍ରତ୍ୟେକ ଅର୍ଥନୈତିକ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ରହିବେ । ବିଭିନ୍ନ ସରକାରୀ ବିଭାଗ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଜମିର ଉପଯୋଗ, ପରିବହନ ଓ ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଏକ ଅର୍ଥନୈତିକ ଅଞ୍ଚଳ ଗଠନର ପ୍ରସ୍ତାବ ରହିଛି । ବିକଶିତ ଓଡ଼ିଶା ଭିଜନ୍ -୨୦୪୭ ଅନୁଯାୟୀ ଭବିଷ୍ୟତରେ ସମ୍ବଲପୁର, କୋରାପୁଟ, ବ୍ରହ୍ମପୁର ସମେତ ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କର୍ତ୍ତୃପକ୍ଷ ଗଠନର ପରିକଳ୍ପନା ରହିଛି । ନୂଆ ବ୍ୟବସ୍ଥା ଆଞ୍ଚଳିକ ବିକାଶ ଓ ପ୍ରଶାସନିକ ସମନ୍ୱୟ ପାଇଁ ସୁଯୋଗ ସୃଷ୍ଟି କରିପାରେ । ତେବେ କ୍ଷମତାର କେନ୍ଦ୍ରୀକରଣ, ସ୍ଥାନୀୟ ସଂସ୍ଥାର ସ୍ୱାୟତ୍ତତା, ଆର୍ଥିକ ସମ୍ବଳ ଓ ଜମି ପରିଚାଳନା ଭଳି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ବହନ କରୁଛି । ନୂଆ ବ୍ୟବସ୍ଥାର ସକାରାତ୍ମକ ଦିଗ ହେଲା ସମନ୍ୱିତ ବିକାଶ । ପ୍ରଶାସନିକ ଓ ଭୌଗୋଳିକ ସୀମା ମଧ୍ୟରେ ବିକାଶକୁ ସୀମିତ ନ ରଖି ସହର ଓ ଗ୍ରାମାଞ୍ଚଳ ପାଇଁ ଏକୀକୃତ ଯୋଜନା ପ୍ରସ୍ତୁତ କରିବାର ସୁଯୋଗ ମିଳିବ।ସେହିପରି ଜମିର ବ୍ୟବହାର ଓ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସମନ୍ୱୟ ରହିଲେ ଅନିୟନ୍ତ୍ରିତ ସହରୀକରଣକୁ ରୋକିବାରେ ସହାୟକ ହୋଇପାରେ। ଯୋଜନାବଦ୍ଧ ଭିତ୍ତିଭୂମି ବିକାଶ ଶିଳ୍ପ, ବାଣିଜ୍ୟ ଓ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇପାରେ ।
ବିଭିନ୍ନ ସରକାରୀ ବିଭାଗ ଓ ସ୍ଥାନୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଲେ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ହ୍ରାସ ପାଇପାରେ। ସମନ୍ୱିତ ପରିବହନ ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବା ସହଜ ହୋଇପାରେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅର୍ଥନୈତିକ ଅଞ୍ଚଳ ଗଠନ ହେଲେ ଆଞ୍ଚଳିକ ବିକାଶରେ ରହିଥିବା ଅସମାନତା ହ୍ରାସ କରିବାର ସୁଯୋଗ ରହିବ । ତେବେ ନୂଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଧିକ କ୍ଷମତା କେନ୍ଦ୍ରୀଭୂତ ହେଲେ ପଞ୍ଚାୟତ ଓ ପୌର ସଂସ୍ଥାର ସ୍ୱାୟତ୍ତତା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ପ୍ରଚଳିତ ଉନ୍ନୟନ କର୍ତ୍ତୃପକ୍ଷ, ପୌର ସଂସ୍ଥା ଓ ନୂଆ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ପରିସର ସ୍ପଷ୍ଟ ନ ହେଲେ ପ୍ରଶାସନିକ ଜଟିଳତା ସୃଷ୍ଟି ହୋଇପାରେ । ନୂଆ ପ୍ରଶାସନିକ ଢାଞ୍ଚା, ମାନବ ସମ୍ବଳ ଓ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅତିରିକ୍ତ ଆର୍ଥିକ ସମ୍ବଳର ଆବଶ୍ୟକତା ପଡ଼ିପାରେ। ବିକାଶ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ିଲେ ଉଚିତ କ୍ଷତିପୂରଣ, ପୁନର୍ବାସ ଓ ଜୀବିକା ସୁରକ୍ଷା ପ୍ରମୁଖ ଆହ୍ୱାନ ହୋଇପାରେ । ନୂଆ ଅର୍ଥନୈତିକ ଅଞ୍ଚଳରେ ଜମି ଦର ବୃଦ୍ଧି ଯୋଗୁଁ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କ ପାଇଁ ବାସଗୃହ ମହଙ୍ଗା ହୋଇପାରେ ।
ସହରାଞ୍ଚଳର ସମ୍ପ୍ରସାରଣ ଯୋଗୁଁ କୃଷିଜମି, ଜଙ୍ଗଲ, ଜଳାଶୟ ଓ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ନିର୍ଦ୍ଦିଷ୍ଟ ଅର୍ଥନୈତିକ ଅଞ୍ଚଳରେ ସରକାରୀ ବ୍ୟୟ ଓ ପୁଞ୍ଜିନିବେଶ କେନ୍ଦ୍ରୀଭୂତ ହେଲେ ଅନ୍ୟ ଅଞ୍ଚଳର ବିକାଶ ପ୍ରଭାବିତ ହୋଇପାରେ । ନୂଆ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଆବଶ୍ୟକ ହେବ । ନୂଆ ବ୍ୟବସ୍ଥାର ଫଳପ୍ରଦତା କର୍ତ୍ତୃପକ୍ଷଙ୍କ କ୍ଷମତା, କାର୍ଯ୍ୟ ପରିସର, ଆର୍ଥିକ ସମ୍ବଳ, ସ୍ଥାନୀୟ ସଂସ୍ଥା ସହ ସମନ୍ୱୟ ଓ ଜନଭାଗିଦାରୀ ଉପରେ ନିର୍ଭର କରିବ। ନିୟମାବଳୀ ଓ ବାସ୍ତବ କାର୍ଯ୍ୟାନ୍ୱୟନ ପରେ ଏହାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ।

