ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଦୁବୁଲାଗଡି ପଂଚାୟତରେ ପ୍ରସିଦ୍ଧ ୟୁନିଅନ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ନିର୍ମାଣ ସହିତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ କୋଟି ୩୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ବିଦ୍ୟାଳୟର ନୂତନ ଗୃହ ନିର୍ମିତ ହେବ । ଏହି ପରିପ୍ରେକ୍ଷୀରେ ଦୁବୁଲାଗଡି ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ଶିଳାନ୍ୟାସ କରିଥିଲେ ।

ସେହିପରି ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଗତ ୩ଲକ୍ଷ ୫୬ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଦୁବୁଲାଗଡି ମାତୃ ଶକ୍ତି କମ୍ୟୁନିଟି ସେଣ୍ଟର, ୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଦୁବୁଲାଗଡି ଦୁର୍ଗାମଣ୍ଡପରେ ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣ ଏବଂ ୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଦୁବୁଲାଗଡି ୟୁନିଅନ

ହାଇସ୍କୁଲରେ ଡ୍ରେନ ନିର୍ମାଣ ପ୍ରଭୃତି ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଜନସାଧାରଣଙ୍କ ଦୀର୍ଘ ଦିନର ଆବଶ୍ୟକତା ଓ ଦାବୀ ପୁରଣ ଦିଗରେ ବିଗତ ୨ବର୍ଷ ମଧ୍ୟରେ ରାଜ୍ୟର ଲୋକପ୍ରିୟ ବିଜେପି ସରକାରଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ୟମ ସମ୍ପର୍କରେ ଶ୍ରୀ ଦତ୍ତ ସୂଚନା ଦେଇଥିଲେ । ଗ୍ରାମାଂଚଳରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ଏହି କ୍ରମରେ ସଠିକ ମାନଦଣ୍ଡ ଓ ଗୁଣବତା ସହିତ ସମସ୍ତ ପ୍ରକଳ୍ପର ନିର୍ମାଣ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକଳ୍ପଗୁଡିକର ସଫଳ ରୂପାୟନ ପାଇଁ ଗ୍ରାମବାସୀଙ୍କ ସହଯୋଗ କାମନା ସହ ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୌଭାଗ୍ୟ ଦାସ,

କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସ୍ଥାନୀୟ ସରପଞ୍ଚ ପ୍ରବୀର କୁମାର ସାହୁ, ସମିତି ସଭ୍ୟ ରବୀନ୍ଦ୍ର କୁମାର ଜେନାଙ୍କ ସମେତ, ବରିଷ୍ଠ ନେତା ଲୋକନାଥ ଭୂୟାଁ, ମହେଶ୍ବର ମାନ୍ନା, ଅଲେଖ ସାହୁ, ରାଜକୃଷ୍ଣ ପରିଡା, ଜଗନ୍ନାଥ ଜେନା, ଜୟଦେବ ସାହୁ, ବସନ୍ତ ମାନ୍ନା, ପଞ୍ଚାନନ ମାନ୍ନା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମଗୁଡିକରେ ଦୁବୁଲାଗଡି ପଂଚାୟତର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

