ଭୁବନେଶ୍ୱର : ଯନ୍ତ୍ରୀ ବାବୁଙ୍କ ବିଦେଶୀ ଘଣ୍ଟା ଓ ଚଷମା ସଉକ । ଲଫାଫାରେ ଲୁଚିଥିଲା ବିଡ଼ା ବିଡ଼ା ଟଙ୍କା । ଘରୁ ମିଳିଲା ପୁଳା ପୁଳା ସୁନା ଗହଣା । ଭିଜିଲାନ୍ସ ଜାଲରେ ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ତାଙ୍କର ଭୁବନେଶ୍ୱର ଏକ ବହୁତଳ କୋଠା, ଢେଙ୍କାନାଳରେ ରହିଛି ଫାର୍ମ ହାଉସ । ଭାପୁରରେ ଥିବା ଫାର୍ମ ହାଉସ ଲଫାପାରୁ ମିଳିଛି ଟଙ୍କା । ପ୍ରକଳ୍ପ ଓ ଚୁକ୍ତି ସଂପର୍କିତ ସୂଚନା ରହିଛି ଲଫାପାରେ । ଏଥିରୁ ଲାଞ୍ଚ କାରବାରରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ମହାନ୍ତି ସଂପୃକ୍ତି ନେଇ ସୂଚନା ମିଳିଛି ।
ଭୁବନେଶ୍ୱର ଓ ଢେଙ୍କାନାଳରେ ୫ ଟି ପ୍ଲଟ ଠାବ ହୋଇଛି । ଜବତ ହୋଇଛି ନଗଦ ୬ ଲକ୍ଷ ୨୩ ହଜାର ଟଙ୍କା । ୬୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଥିବା ବେଳେ ୧୩ ଲକ୍ଷ ୪୭ ହଜାର ଟଙ୍କାର ଫ୍ଲାଇଟ ଟିକେଟ କରି ବୁଲିଛନ୍ତି ବାବୁ । ଦୁଇଟି ଚାରି ଚକିଆ ଓ ଦୁଇଟି ଦୁଇ ଚକିଆ ଯାନ ଠାବ ହୋଇଛି । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ମହାନ୍ତି ତିନି ମହଲା ଘର, ଯାଜପୁର ବଡ଼ଚଣା ଥାନା କୋଲାସିଂହରେ ପୈତୃକ ଘରେ ଚାଲିଛି ଚଢ଼ାଉ । ଢେଙ୍କାନାଳ ଜୁବୁଲି ଟାଉନ୍ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱର ଅଫିସ, ଢେଙ୍କାନାଳ ଭାପୁରରେ ଥିବା ଦୁଇ ମହଲା କୋଠା, ଫାର୍ମ ହାଉସ, କଟକ ନୟାବଜାରରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ । ରେଡରେ ଜଣେ ଅତିରିକ୍ତ ଏସପି, ୧୧ ଡିଏସପି ଓ ୯ ଜଣ ଇନିସପେକ୍ଟର ସାମିଲ ଅଛନ୍ତି ।

