ତିହିଡି, ୨୯.୧୦ : ଭଦ୍ରକ ଜିଲ୍ଲା ତିହିଡି ତିହିଡି ବଜାରରେ ପ୍ରସ୍ତାବିତ ମଦ ବାର୍ ଖୋଲିବା ପ୍ରତିବାଦରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ତଥା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜୀବନଜ୍ୟୋତି ସେବା ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକାରର ଫ୍ଲାକାର୍ଡ ଧରି ସରକାର ଓ ପ୍ରଶାସନ ବିରୋଧି ନାରାବାଜି କରାଯାଇଥିଲା । ବ୍ଲକ ଛକରୁ ଆରମ୍ଭ ହୋଇଥିବା ଉକ୍ତ ପଦଯାତ୍ରା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା, ବିଡିଓଙ୍କ ପ୍ରଦାନ କରାଯିବା ପରେ ବଜାର ପରିକ୍ରମଣ କରାଯାଇ ତିହିଡି ଆଇଆଇସି, ତହସିଲଦାର ଓ ଅବକାରୀ ଥାନାଧିକାରିଣୀଙ୍କ ଜରିଆରେ ଜିଲ୍ଲାପାଳ, ଜିଲ୍ଲା ଅବକାରୀ ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରା ଯାଇଛି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଗଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆ ଯାଇଛି । ଅଭିଯୋଗ ମୁତାବକ, ତିହିଡି ଏନଏସି ତଥା ସଦର ମହକୁମାସ୍ଥିତ ମଙ୍ଗରାଜପୁର ଛକ ନିକଟରେ ମଦ ବାର୍ ଖୋଲିବା ବିଜ୍ଞପ୍ତିକୁ ତିବ୍ର ବିରୋଧ କରାଯାଇଛି । ଉକ୍ତ ସ୍ଥାନଟି ତିହିଡ଼ି ବ୍ଳକ, ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣାଧୀନ ନୂତନ ଠାକ୍ତରଖାନା ଓ ତିହିଡ଼ି ମହାବିଦ୍ୟାଳୟର ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ମନ୍ଦିର ସନ୍ନିକଟ ହୋଇଥିବାରୁ ତାହା ସାଧାରଣ ଜନତା, ରୋଗୀ, ଛାତ୍ରଛାତ୍ରୀ, ମହିଳାଙ୍କର ସୁରକ୍ଷା ତଥା ସାମାଜିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଏଥିସହ ସଂପ୍ରତି ତିହିଡ଼ି ଅଞ୍ଚଳରେ ବେଆଇନ ଡ୍ରଗ୍ଧ ଗଞ୍ଜେଇ ଓ ବ୍ରାଉନ୍ ସୁଗାର କାରବାର ବୃଦ୍ଧି ପାଇବା ଯୋଗୁଁ ଯୁବପିଢ଼ୀଙ୍କ ଭବିଷ୍ୟତ ଓ ସମାଜର ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି ହୋଇଛି ଓ ଏହି ବେଆଇନ ନିଶାଦ୍ରବ୍ୟର କାରବାର ଯୁବସମାଜକୁ ନଷ୍ଟ କରିବା ସହ ପରିବାର ଓ ସାମାଜିକ ଜୀବନ ଉପରେ କୁପ୍ରଭାବ ପକାଉଛି । ଏହି ବେଆଇନ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଏଥିରେ ସମ୍ପୃକ୍ତ ଥିବା ବ୍ୟବସାୟୀ ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରାଯାଇଛି । ସଂଗଠନର ଆବାହକ କ୍ଷମାମୟ ପାଣ୍ଡବ ଓ ସମ୍ପାଦକ ଦୀପକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଉକ୍ତ ପଦଯାତ୍ରାରେ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ । ସେହିପରି ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ କୁମାର ନାୟକଙ୍କ ପକ୍ଷରୁ ଆଇଆଇସି, ତହସିଲଦାର ଓ ଅବକାରୀ ଥାନାଧିକାରିଣୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି । ମଙ୍ଗରାଜପୁରଠାରେ ପ୍ରସ୍ତାବିତ ମଦ ବାର୍କୁ ଦୃଢ଼ ବିରୋଧ କରିବା ସହିତ ଏହାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି । ପ୍ରସ୍ତାବିତ ମଦ ବାର ସ୍ଥାନ ନିକଟରେ ବ୍ଳକ୍ କାର୍ଯ୍ୟାଳୟ, ସ୍କୁଲ, କଲେଜ, ପୋଷ୍ଟ ଅଫିସ୍, ବ୍ୟାଙ୍କ ଓ ମନ୍ଦିର ଭଳି ଗୁରୁତ୍ୱପୂର୍ଣ ଅନୁଷ୍ଠାନ ଅବସ୍ଥିତ । ଏପରି ଏକ ଜନଗହଳିପୂର୍ଣ ଅଞ୍ଚଳରେ ମଦବାର ଖୋଲିବା ଆମ ଅଞ୍ଚଳର ସାମାଜିକ ପରିବେଶ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ମହିଳାଙ୍କ ସୁରକ୍ଷା ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଗଭୀର ଚିନ୍ତାର ବିଷୟ ପାଲଟିଛି । ଅଞ୍ଚଳର ଶାନ୍ତି, ସଂସ୍କୃତି ଓ ଯୁବପିଢ଼ିଙ୍କର ଭବିଷ୍ୟତକୁ ବିପଦରେ ପକାଇ ଏପରି ମଦବାର ଖୋଲିବାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ । ପ୍ରଶାସନ ପକ୍ଷରୁ ଏପରି ନ୍ୟାୟସଙ୍ଗତ ଦାବିକୁ ଅଣଦେଖା କରାଗଲେ, ଗୋପବନ୍ଧୁ ସେବକ ସେନା ତରଫରୁ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଜନଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ସେଥିପାଇଁ ଯଦି କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଚେତାବନି ଦିଆଯାଇଛି ।

