ତିହିଡି, ୨୯.୧୦ : ନିର୍ଦ୍ଧାରିତ ଭଡା ଠାରୁ ଯାତ୍ରୀବାହି ବସ ଅଧିକ ଭଡା ନେଉଥିବା ଅଭିଯୋଗ ହୋଇଛି । ଏନେଇ ତିହିଡି ତହସିଲ କାର୍ଯ୍ୟାଳୟର ସରକାରୀ ଆଇନ୍ଜୀବି ନଳିନୀକାନ୍ତ ମହାନ୍ତି ଥାନାରେ ଦ୍ୱାରସ୍ଥ ହେବା ସହିତ ସଂପୃକ୍ତ ଘରୋଇ ଯାତ୍ରୀବାହି ବସ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଅଭିଯୋଗ ମୁତାବକ, ଶ୍ରୀ ମହାନ୍ତି ଓ ତାଙ୍କ ପୁଅ ଗୁରୁବାର ସକାଳ ପ୍ରାୟ ୭.୩୦ ଘଟିକାରେ ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ଘରୋଇ ଯାତ୍ରୀବାହି ବସ ଓମ୍ ବାବାରେ ତିହିଡିରୁ ଭଦ୍ରକ ଯାଇଥିଲେ । ଟିକେଟ ବାବଦରେ ସେ କଣ୍ଡକ୍ଟରଙ୍କୁ ଏକ ୫୦ ଟଙ୍କିଆ ନୋଟ୍ ଦେଇଥିଲେ । ମାତ୍ର କଣ୍ଡକ୍ଟର ଆଉ ୧୦ ଟଙ୍କା ଦେବାକୁ ଦାବୀ କରିଥିଲେ । ଟିକେଟ୍ ଦେଇ ବେପାର କରି ହେବନି ଯଦି ବିନା ଟିକେଟରେ ଯଦି ଯିବ ତେବେ ୫୦ ଟଙ୍କା ଚଳିବ ନଚେତ ଜଣକା ୩୦ ଟଙ୍କା ଲେଖାଏଁ ମୋଟ୍ ୬୦ ଟଙ୍କା ଭଡା ଦେବାକୁ ପଡିବ ବୋଲି କଣ୍ଡକ୍ଟର କହିବା ସହ ଖରାପ ବ୍ୟବହାର କହିଥିଲେ । ସରକାରୀ ଧାର୍ଯ୍ୟ ଭଡା ୨୦ ଟଙ୍କା ୨୪ ପଇସା ହୋଇଥିବା ବେଳେ କଣ ପାଇଁ ୩୦ ଟଙ୍କା ଦାବୀ କରୁଛ ବୋଲି ଶ୍ରୀ ମହାନ୍ତି ପ୍ରତିବାଦ କରିବାରୁ ସଂପୃକ୍ତ କଣ୍ଡକ୍ଟର ବସରୁ ଉହ୍ଲାଇ ଦେଇଥିଲେ । ଯଦି ବସ ଫେଲ୍ ହୁଏ ତେବେ ପୁଅର ଜରୁରୀ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବାନେଇ ସେହି ବସରେ ସେମାନେ ଯିବାକୁ ବାଧ୍ୟ ହୋଇଥିଲେ ଏବଂ ଭଦ୍ରକରୁ ଫେରିବା ପରେ ସଂଧ୍ୟାରେ ସେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏତଲାକାରୀ ଶ୍ରୀ ମହାନ୍ତିଙ୍କ ସମେତ ଆଇନ୍ଜୀବି ବିଷ୍ଣୁ ଦାଶ, ସୂର୍ଯ୍ୟ ମିଶ୍ର, ତପନ ମିଶ୍ର, ସତ୍ୟସୁନ୍ଦର ପତି, ତୁଷାର ସ୍ୱାଇଁ ଓ ତପନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

