ହିଞ୍ଜିଳିକାଟୁ: ବନ୍ୟା ପାଣିରୁ ରକ୍ଷା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ । ନଡ଼ିଆ ବାଡ଼େଇ ଋଷିକୂଲ୍ୟା ମାଆଙ୍କୁ ଗୁହାରି କଲେ ଶେରଗଡ଼ବାସୀ । ନଦୀରେ ବନ୍ୟା, ଗାଁରେ ପାଣି, ରାସ୍ତାଘାଟ ସବୁ ଜଳମଗ୍ନ । ଚାରିଆଡ଼େ ହାହାକାର, ଆଉ ଏପଟେ ନଦୀ କୂଳରେ ଚାଲିଛି ପୂଜାର୍ଚ୍ଚନା। ଘଣ୍ଟଘଣ୍ଟା ଓ ହରିବୋଲ ଧ୍ୱନିରେ କମ୍ପୁଛି ପରିବେଶ । ନଡ଼ିଆ ବାଡ଼େଇ ଗାଁକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ନଦୀ ମାଆଙ୍କୁ ଗୁହାରି କରୁଛନ୍ତି ଗ୍ରାମବାସୀ ।
ଇଏ ପ୍ରକୃତିର ପ୍ରକୋପ ଆଗରେ ଅସହାୟ ମଣିଷର ଆକୁଳ ନିବେଦନ । ଶେରଗଡ ବ୍ରାହ୍ମଣଛାଇ ଗ୍ରାମରେ ଋଷିକୂଲ୍ୟା ନଦୀ କୂଳର ଏ ଦୃଶ୍ୟ । ଗାଁ ଭିତର ପାଣି ନପଶିବାକୁ ଋଷିକୁଲ୍ୟା ନଦୀକୁ ଗୁହାରି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଫୁଲୁଛି ଋଷିକୂଲ୍ୟା । ଆସିକାଠୁ ଶେରଗଡ଼, ଧରାକୋଟଠୁ ବ୍ରହ୍ମପୁର ଚାରିଆଡ଼େ ବନ୍ୟାର ବିଭୀଷିକା । କେଉଁଠି ରାସ୍ତା ଉପରେ ଆଠ ଫୁଟର ପାଣି ତ କେଉଁଠି ମେଡିକାଲ ଭିତରେ ପଶିଛି ବନ୍ୟାଜଳ । ଜଳବନ୍ଦୀ ଜୀବନ ଭିତରେ ଏବେ ସମସ୍ତେ ଏହି ବିପତ୍ତିରୁ ରକ୍ଷା ପାଇବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଆଉ ବନ୍ୟା ଦାଉରୁ ଉଦ୍ଧାର ପାଇଁ କରିଛନ୍ତି ପୂଜାର୍ଚ୍ଚନା ।
ଋଷିକୂଲ୍ୟା ନଦୀର ବନ୍ୟା ପାଣିକୁ ପୂଜା କରିଛନ୍ତି ଗାଁ ଲୋକେ। ନାମ ସଂକୀର୍ତ୍ତନ ସହ ନଡ଼ିଆ ବାଡେଇଛନ୍ତି ବନ୍ୟା ଦାଉରୁ ଉଦ୍ଧାର ପାଇଁ ଗାଁ ଲୋକଙ୍କର ଏହି ପୂଜାର୍ଚ୍ଚନା। ସବୁଠି ବୁଡ଼େଇଲାଣି ବାତ୍ୟା ଅର୍ଣ୍ଣବ। ଦୁଇ କୂଳ ଛୁଇଁଲା ଋଷିକୂଲ୍ୟା ନଦୀରେ ବନ୍ୟା ଜଳ। ଆସିକା ବସଷ୍ଟାଣ୍ଡ୍ ବି ଜଳମଗ୍ନ । NH 59 ରେ ଚାଲିଛି ୮ ଫୁଟର ପାଣି । ଆସିକା ଠାରୁ ବ୍ରହ୍ମପୁର, ଆସିକା ଠାରୁ ସୋରଡା ଦାରିଙ୍ଗବାଡ଼ି, ଆସିକରୁ ଭଞ୍ଜନଗର ସମ୍ପୂର୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ । ଏମିତି କି ଆସିକା ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ତଳ ମହଲାରୁ ଉପର ମହଲାକୁ କରାଯାଇଛି ସ୍ଥାନାନ୍ତର ।
ସେହପରି ଆସିକା ପଲ୍ଲୀ ରଘୁନାଥ ନଗର, ଆସିକା ଖମ୍ବେଶ୍ଵରୀ ପାଟଣା, ଆସିକା ଲକ୍ଷ୍ମୀବଜାର ଉପରେ ପାଣି ଚାଲିଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧରାକୋଟ ବ୍ଲକ ସମ୍ପୂର୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ । ନନ୍ଦିନୀ ନଦୀର ବନ୍ୟା ଜଳରେ ବୁଡ଼ିଲା ଶେରଗଡ । ଶେରଗଡ ମୁଖ୍ୟ ବଜାରରେ ଆଠଫୁଟ ପାଣି । ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ପୂଜାପାଠ। ରୂଷିକୁଲ୍ୟା ନଦୀର ବନ୍ୟାଜଳକୁ ପୂଜାପାଠ କରିଲେ ଗ୍ରାମବାସୀ । ଘଣ୍ଟ ବାଦ୍ୟ ସହ ନଡିଆ ଭାଙ୍ଗି ନଦୀର ଜଳକୁ ପୂଜାପାଠ କରିଛନ୍ତି । ଗଞ୍ଜାମ -ଶେରଗଡ ବ୍ରାହ୍ମଣଛାଇ ଗାଁରେ ପଶିଲା ରୂଷିକୁଲ୍ୟା ନଦୀର ବନ୍ୟାଜଳ । ଫଳରେ ଗାଁ ଚାରିପଟେ ଘେରିରହିଛି ବନ୍ୟାଜଳ। ପାଣି ଘେରରେ ରହିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

