ବ୍ରହ୍ମପୁର: କମିଲା ବର୍ଷା, ହେଲେ ବଢ଼ିଲା ଦୁର୍ଦ୍ଦଶା । ଋଷିକୂଲ୍ୟା ନଦୀ ଜଳ ସ୍ତର କମିବା ସହ ଆସ୍କା ସହର ସମେତ ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ଜଳସ୍ତର କମୁଛି । ତେବେ ଏବେବି ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି ।
ଆନ୍ଧ୍ରପ୍ରଦେଶର ଇଚ୍ଛାପୁର,ହିଞ୍ଜିଳିକାଟୁ ରୁ ଆସ୍କା, ସୋରଡ଼ା ରୁ ଦାରିଙ୍ଗିବାଡି,ଆସ୍କା ରୁ ସୋରଡ଼ା, ଆସ୍କା ରୁ ଭଞ୍ଜନଗର,ତପ୍ତପାଣି ରୁ ମୋହନା, ପାତ୍ରପୁରରୁ ତୁମ୍ବା, ପୁରୁଷୋତ୍ତମପୁର ରୁ କବିସୂର୍ଯ୍ୟନଗର ଆଦି ଅଞ୍ଚଳର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । କେଉଁଠି ରାସ୍ତା ଖରାପ ତ ଆଉ କେଉଁଠି ରାସ୍ତା ଉପରେ ପାଣି । ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା, ବିଭିନ୍ନ ସାହି ଓ ଅଫିସ ପରିସର ଏବେବି ଜଳବନ୍ଦୀ ହୋଇ ରହିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ଗଞ୍ଜାମ ଗଜପତି ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ।ଗଞ୍ଜାମରେ ଭୟଙ୍କର ବନ୍ୟା ପଛରେ ୭ କାରଣ । ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ପ୍ରଶ୍ନ । ଆଗୁଆ ଆକଳନରେ କେଉଁଠି ରହିଲା ଭୁଲ? ବିପଦପ୍ରବଣ ଗାଁରେ ସତର୍କତା ଓ ସ୍ଥାନାନ୍ତର ବ୍ୟବସ୍ଥା କେତେ ପ୍ରଭାବୀ ଥିଲା? ଗଞ୍ଜାମରେ ଭୟଙ୍କର ବନ୍ୟା ପରେ ଏବେ ଉଠୁଛି ଅନେକ ପ୍ରଶ୍ନ । ଆସିକା, ସୋରଡ଼ା, ଭଞ୍ଜନଗର ଓ ସାନଖେମୁଣ୍ଡିରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଶହ ଶହ ଗାଁରେ ପାଣି ପଶିଥିବାବେଳେ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ପ୍ରବଳ ବର୍ଷା ଓ ଋଷିକୁଲ୍ୟାର ଜଳସ୍ତର ବୃଦ୍ଧି ବନ୍ୟାର ପ୍ରମୁଖ କାରଣ। କିନ୍ତୁ ଏତେ ବଡ଼ ବିପର୍ଯ୍ୟୟ ପୂର୍ବରୁ ପ୍ରଶାସନ କେତେ ପ୍ରସ୍ତୁତ ଥିଲା? ବର୍ଷା ଓ ବନ୍ୟାର ଆଗୁଆ ଆକଳନରେ କେଉଁଠି ରହିଲା ଭୂଲ? ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିଲିମିଟର ବର୍ଷା ହୋଇଥିବା ରିପୋର୍ଟ ରହିଛି। ଏତେ କମ୍ ସମୟରେ ବିପୁଳ ବର୍ଷାଜଳ ନଦୀନାଳକୁ ପ୍ରବେଶ କରିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ମାଟିର ଜଳ ଶୋଷଣ କ୍ଷମତା କମିଥିବା ସମ୍ଭାବନା ରହିଛି । ଫଳରେ ବର୍ଷାଜଳ ଦ୍ରୁତ ଗତିରେ ନଦୀ ଓ ତଳିଆ ଅଞ୍ଚଳକୁ ପ୍ରବାହିତ ହୋଇଛି ।

