ତିହିଡି, ୦୮.୦୪ : ଜଣେ ଶିକ୍ଷୟିତ୍ରୀଙ୍କର ଅବସର ନଥାଏ । ଚାକିରୀରେ ଥିବା ବେଳେ ବା ଅବସରଗ୍ରହଣ କରିବା ପରେ ବି ତାଙ୍କ ଭିତରେ ଶିକ୍ଷା ପ୍ରଦାନ କରିବାର ଆନ୍ତଃ ପ୍ରେରଣା ଥାଏ ବୋଲି ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଭଗବତୀ ବାଳିକା ଶିକ୍ଷାୟତନର ଶିକ୍ଷୟିତ୍ରୀ ଜୟନ୍ତୀ ଖୁଣ୍ଟିଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି, ତିହିଡ଼ି ବ୍ଲକ ଓଷ୍ଟା ସଂଘର ସମ୍ପାଦକ ବିଶ୍ୱନାଥ ପଣ୍ଡା ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ଅମରନାଥ ଶତପଥି, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରଘୁନାଥ ପଶୁପାଳକ, ସମାଜସେବୀ ଅମର ନାୟକ, ଶିକ୍ଷକ ଅଭୟ ସାମଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ଖୁଣ୍ଟିଆ ଛାତ୍ରୀମାନଙ୍କୁ ଉଭୟ ମା’ ଓ ଶିକ୍ଷୟିତ୍ରୀର ସ୍ନେହ ପ୍ରଦାନ କରିଆସୁଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜଶ୍ରୀ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, ମନୋରମା ଦାସ ଅତିଥି ପରିଚୟ ଓ ବିମଳା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟନ୍ତୀ ଖଣ୍ଟିଆଙ୍କୁ ମାନପତ୍ର, ଉପଢ଼ୌକନ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାଞ୍ଚଞ୍ଚନ ରାଉଳ, ମହେଶ୍ୱର ସାହୁ, କୈଳାଶ ଚନ୍ଦ୍ର ବାରିକ, ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ରଶ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

