ତିହିଡି, ୦୮.୦୪ : କାଳବୈଶାଖି ତାଣ୍ଡବ ଲୀଳା ଦେଖାଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଫଳରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ନରେନ୍ଦ୍ରପୁର ପଞ୍ଚାୟତରେ ବହୁ କ୍ଷୟକ୍ଷତି ଘଟିଛି । କୁଆପଥର ମାଡରେ ମାଝୀସାହି ଓ ସାମଲସାହିରେ ଆଜବେଷ୍ଟସ ଛପରରେ ଗର୍ତ୍ତର୍ ସୃଷ୍ଟି ହୋଇଛି । ବାହାରେ ଥିବା ଗାଡ଼ି, ମୋଟର ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଯାଇଛି । ଜ୍ଞାନେନ୍ଦ ମାଝୀ, କୈଳାସ ମାଝୀ, ନିରଞ୍ଜନ ମାଝୀ, ସହଦେବ ମାଝୀ, ସନ୍ଥ ବେହେରା, ରାଜେନ୍ଦ୍ର ବେହେରା, ରମାକାନ୍ତ ମାଝୀ, ରାଜେନ୍ଦ୍ର ମାଝୀ, ବାବାଜୀ ମାଝୀ, ଶମ୍ଭୁନାଥ ମାଝୀ ପ୍ରମୁଖ ୫୯ ପରିବାର କ୍ଷତିଗ୍ରସ୍ତ ହୋଇଛି । ନରେନ୍ଦ୍ରପୁର ପଞ୍ଚାୟତରେ ଥିବା ବାବା ଗୋସାଇଁ ଗାଦିପୀଠ ଓ ସୀତାରାମ ଆଶ୍ରମରେ ଥିବା ଆଜବେଷ୍ଟସ ଘର ଗୁଡ଼ିକ ଭାଙ୍ଗିବା ସହ ଘର ଭିତରେ ପାଣି ପଶି ଆଶ୍ରମରେ ଥିବା ସାମଗ୍ରୀ ନଷ୍ଟ ହୋଇ ଯାଇଛି । ସରପଞ୍ଚ ମଧ୍ୟ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ଏହି ଖବର ପାଇବା ପରେ ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ଚାନ୍ଦବାଲି ବ୍ଲକ ସୁବାଶୀଷ ମଲିକ, ଦିଗମ୍ବର ଦାଶ, ଲକ୍ଷ୍ମୀ ମାଝୀ, ସୁଦର୍ଶନ ସ୍ୱାଇଁ, ଗଙ୍ଗାଧର ବାରିକ, ଭରତ ସୂତାର, ବସନ୍ତ ନାୟକ, ଅଭୟ ବିଶ୍ୱାଳ, ରମେଶ ବାରିକ ଓ ଶକ୍ତିପ୍ରସାଦ ବିଶ୍ୱାଳ ପ୍ରମୁଖ ଆଜି ଅପରାହ୍ନରେ ଘଟଣାସ୍ଥଳରେ ପହଂଚି ବିପନ୍ନ ମାନଙ୍କୁ ସମବେଦନା ଜଣାଇଛନ୍ତି ।

