ନୂଆଦିଲ୍ଲୀ: ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ, ୬ ଆହତ । ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା ଇରବିଲରେ ଏକ ଭୟଙ୍କର ଆକ୍ରମଣରେ ଜଣେ ଫ୍ରାନ୍ସ ସୈନ୍ୟ ପ୍ରାଣ ହରାଇଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ସହିଦ ସୈନ୍ୟଙ୍କ ନାମ ଆର୍ଣ୍ଣୋଡ୍ ଫ୍ରିଓନ୍ ବୋଲି ଜଣାପଡ଼ିଛି । ଏକ ଯୁଗ୍ମ ସାମରିକ ଘାଟି ଉପରେ ଡ୍ରୋନ୍ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରାୟ ୬ ଜଣ ସୈନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି ।
ଫ୍ରାନ୍ସର ଏହି ସୈନ୍ୟମାନେ ସେଠାରେ ସ୍ଥାନୀୟ ସେନାକୁ ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ତାଲିମ ଦେଉଥିଲେ । ମାକ୍ରୋନ ଏହି ଆକ୍ରମଣକୁ ନିନ୍ଦା କରିବା ସହ କହିଛନ୍ତି ଯେ ଫ୍ରାନ୍ସର ସୈନ୍ୟମାନେ କେବଳ ଆତଙ୍କବାଦୀ ସଂଗଠନ ‘ଇସିସ’ (ISIS) ବିରୋଧରେ ଲଢ଼ିବାକୁ ସେଠାକୁ ଯାଇଛନ୍ତି, ଅନ୍ୟ କୌଣସି ଯୁଦ୍ଧ ସହ ସେମାନଙ୍କର ସମ୍ପର୍କ ନାହିଁ । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଏବଂ ଆମେରିକା ସହ ଇରାନର ତିକ୍ତତା ବଢ଼ିବା ପରେ ଏହା ଫ୍ରାନ୍ସ ସେନା ପାଇଁ ପ୍ରଥମ ବଡ଼ କ୍ଷତି।ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ତଦନ୍ତ ଜାରି ରହିଛି ।

