ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ଅତିକ୍ରମ କଲା ବାତ୍ୟା ‘ଅର୍ଣ୍ଣବ’ । ଆଗାମୀ କିଛି ଘଣ୍ଟା ଯାଏଁ ରହିବ ଭୀଷଣ ରୂପ । ଭୋର ସମୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ପୁଡୁଚେରୀର ୟାନମ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା । ଲ୍ୟାଣ୍ଡଫଲ୍ ସମୟରେ ପ୍ରବଳ ବେଗରେ ପବନ ବହିବା ସହ ମୂଷଳଧାରାରେ ବର୍ଷା ହୋଇଛି । ବାତ୍ୟା ପ୍ରଭାବରେ ଆନ୍ଧ୍ରର ଏକାଧିକ ଉପକୂଳବର୍ତ୍ତୀ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ବିଦ୍ୟୁତ୍ ତାର ଛିଣ୍ଡିଯାଇଛି । ରାସ୍ତା ଉପରେ ଗଛ ପଡ଼ିବା ଫଳରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି ।
IMDର ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟାର ଗତି ଧୀର ଥିଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ଭୟଙ୍କର ରହିଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି । ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ବାତ୍ୟା ତୁରନ୍ତ ଦୁର୍ବଳ ହେବାର ସମ୍ଭାବନା ନାହିଁ । ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଏହା ଭୀଷଣ ସାମୁଦ୍ରିକ ଝଡ଼ ଭାବେ ନିଜର ତୀବ୍ରତା ବଜାୟ ରଖିପାରେ । ବାତ୍ୟାର ପ୍ରଭାବ କେବଳ ପ୍ରବଳ ପବନ ଓ ବର୍ଷା ମଧ୍ୟରେ ସୀମିତ ରହିନାହିଁ । ସମୁଦ୍ରରେ ମଧ୍ୟ ଭୟଙ୍କର ଜୁଆର ଉଠିବାର ଆଶଙ୍କା ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ସ୍ୱାଭାବିକ ଜୁଆରଠାରୁ ୧.୫ରୁ ୨.୫ ମିଟର ଉଚ୍ଚର ଜଳୋଚ୍ଛ୍ୱାସ ସୃଷ୍ଟି ହୋଇପାରେ । ବିଶେଷକରି କାକିନାଡ଼ା ଓ ୟାନମ ଆଖପାଖର ତଳିଆ ଅଞ୍ଚଳରେ ସମୁଦ୍ର ପାଣି ପ୍ରବେଶ କରିବାର ବିପଦ ରହିଛି । ଫଳରେ ଉପକୂଳବର୍ତ୍ତୀ ଜନବସତି ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟପଟେ ବାତ୍ୟା ମାଡ଼ରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । କାକିନାଡ଼ାରେ ପ୍ରବଳ ପବନ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ ଏକାଧିକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡିଯାଇଛି। ସେହିପରି ବିଶାଖାପାଟଣାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ।

