ଘରର କାନ୍ଥ ହେଉ କି ଛାତ, ବାଲକୋନି ହେଉ କି ପାଣି ଟାଙ୍କି, ଅନେକ ସମୟରେ ଏଠାରେ ଆପେ ଆପେ ଉଠିଯାଏ ଅଶ୍ୱତ୍ଥ ଗଛ । ଅଶ୍ୱତ୍ଥ ଗଛକୁ ନେଇ ଭାରତୀୟ ପରମ୍ପରାରେ ଅନେକ ଧାର୍ମିକ ବିଶ୍ୱାସ ରହିଛି । ଭାରତୀୟ ପରମ୍ପରାରେ ଅଶ୍ୱତ୍ଥ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟତା ଦିଆଯାଏ । କିନ୍ତୁ ଘରର କାନ୍ଥରେ ଏହି ଗଛ ଉଠିବା ଶୁଭ ନା ଅଶୁଭ? ଏହାକୁ ନେଇ ରହିଛି ଅନେକ ଧାର୍ମିକ ବିଶ୍ୱାସ ।
ବାସ୍ତୁ ଅନୁସାରେ, ଘରର କାନ୍ଥ କିମ୍ବା ଛାତ ଉପରେ ଅଶ୍ୱତ୍ଥ ଗଛ ଉଠିବାକୁ ଶୁଭ ସଙ୍କେତ ଭାବେ ଧରାଯାଏ ନାହିଁ । ଏହା ଘରର ପରିବେଶ ଓ ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଏ ବୋଲି କେତେକ ଲୋକ ବିଶ୍ୱାସ କରନ୍ତି । ତେବେ ଏହି ଧାରଣାଗୁଡ଼ିକର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କିନ୍ତୁ ଘରର କାନ୍ଥରେ ଅଶ୍ୱତ୍ଥ ଗଛ ଉଠିବାର ଏକ ବାସ୍ତବିକ ସମସ୍ୟା ରହିଛି । ଗଛଟି ବଡ଼ ହେବା ସହ ଏହାର ଚେର କାନ୍ଥର ଫାଟ ଓ ଖାଲି ସ୍ଥାନ ଭିତରକୁ ପଶିପାରେ । ଫଳରେ କାନ୍ଥରେ ଫାଟ ବଢ଼ିବା ସହ ପାଣି ଲିକ୍ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ । ତେବେ ପ୍ରଶ୍ନ ହେଉଛି, କାନ୍ଥରେ ଅଶ୍ୱତ୍ଥ ଗଛ ଉଠେ କିପରି? ପ୍ରକୃତରେ ପକ୍ଷୀ କିମ୍ବା ପବନ ମାଧ୍ୟମରେ ଏହାର ମଞ୍ଜି କାନ୍ଥର ଛୋଟ ଫାଟରେ ପହଞ୍ଚିଥାଏ । ସେଠାରେ ଆର୍ଦ୍ରତା ଓ ଉପଯୁକ୍ତ ପରିସ୍ଥିତି ମିଳିଲେ ମଞ୍ଜି ଅଙ୍କୁରିତ ହୋଇ ଗଛରେ ପରିଣତ ହୁଏ ।
ଯଦି ଆପଣଙ୍କ ଘରର କାନ୍ଥରେ ମଧ୍ୟ ଅଶ୍ୱତ୍ଥ ଗଛ ଉଠିଛି, ତେବେ ଏହାକୁ ଅଧିକ ଦିନ ଅଣଦେଖା କରନ୍ତୁ ନାହିଁ । ଆବଶ୍ୟକସ୍ଥଳେ ବିଶେଷଜ୍ଞଙ୍କ ପରାମର୍ଶରେ ଗଛଟିକୁ ସାବଧାନତାର ସହ ହଟାନ୍ତୁ । ଏହାପରେ କାନ୍ଥର ଫାଟକୁ ସଫା କରି ଉପଯୁକ୍ତ ମରାମତି ଓ ୱାଟରପ୍ରୁଫିଂ କରାଇବା ଜରୁରୀ । ତେଣୁ ଅଶ୍ୱତ୍ଥ ଗଛକୁ ନେଇ ଆପଣଙ୍କର ଧାର୍ମିକ ବିଶ୍ୱାସ ଯାହା ଥାଉ ନା କାହିଁକି, ଘରର ସୁରକ୍ଷା ଓ ଗଠନକୁ ଗୁରୁତ୍ୱ ଦେବା ମଧ୍ୟ ନିହାତି ଆବଶ୍ୟକ

