ପୁରୀ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗତକାଲି ଜଳମଗ୍ନ ଥିଲା ପୁରୀ, ଆଜି ହାଲୁକା ବର୍ଷା ସହ ସୁଧୁରିଛି ସ୍ଥିତି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗତକାଲି ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଥିବା ଶ୍ରୀକ୍ଷେତ୍ର ପୁରୀରେ ଆଜି ସ୍ଥିତିରେ ସୁଧାର ଆସିଛି । ଗତକାଲି ଶ୍ରୀମନ୍ଦିର ନିକଟବର୍ତ୍ତୀ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ରାସ୍ତାରେ ବର୍ଷାପାଣି ଜମି ରହିଥିବା ବେଳେ, ଆଜି ସେଭଳି ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିନାହିଁ। ପୁରୀରେ ଆଜି ହାଲୁକା ବର୍ଷା ହେଉଥିଲେ ମଧ୍ୟ ଗତକାଲି ଭଳି ପରିସ୍ଥିତି ନାହିଁ । ଫଳରେ ସହରବାସୀ, ବ୍ୟବସାୟୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଶ୍ୱସ୍ତିର ବିଷୟ ହୋଇଛି ।
ଗତକାଲି ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ପୁରୀ ସହରର ଅନେକ ପ୍ରମୁଖ ରାସ୍ତା ଜଳମଗ୍ନ ହୋଇପଡ଼ିଥିଲା । ବିଶେଷକରି ଶ୍ରୀମନ୍ଦିର ନିକଟବର୍ତ୍ତୀ ବଡ଼ଦାଣ୍ଡରେ ବର୍ଷାପାଣି ଜମି ରହିଥିଲା । ମେଡିକାଲ ଛକରୁ ମାର୍କେଟ ଛକ ମଧ୍ୟରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା। କେତେକ ସ୍ଥାନରେ ପ୍ରାୟ ଦୁଇ ଫୁଟ ପର୍ଯ୍ୟନ୍ତ ପାଣି ଜମିଥିବା ଖବର ମିଳିଥିଲା। ଫଳରେ ଗାଡ଼ିମୋଟର ଚଳାଚଳ ସହ ପଥଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଆଜି ସେହି ଚିତ୍ର ବଦଳିଛି। ବର୍ଷାର ପରିମାଣ କମିଥିବା ବେଳେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଗତକାଲି ଭଳି ପାଣି ଜମି ରହିନାହିଁ । ରାସ୍ତାରୁ ବର୍ଷାପାଣି ହଟିଯାଇଥିବାରୁ ଯାତାୟାତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଗତକାଲିର ଜଳବନ୍ଦୀ ସମସ୍ୟା ପରେ ଆଜିର ଏହି ପରିବର୍ତ୍ତନ ସ୍ଥାନୀୟ ଲୋକଙ୍କୁ ଆଶ୍ୱସ୍ତ କରିଛି । ଗତକାଲି ପ୍ରବଳ ବର୍ଷା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅସୁବିଧା ଭୋଗିବାକୁ ପଡ଼ିଥିଲା । ଶ୍ରୀମନ୍ଦିର ନିକଟରେ ବର୍ଷାପାଣି ଜମି ରହିଥିବାରୁ ଭକ୍ତମାନଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା । କିନ୍ତୁ ଆଜି ଜଳବନ୍ଦୀ ସମସ୍ୟା ନ ଥିବାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତାୟାତ ଅପେକ୍ଷାକୃତ ସହଜ ହୋଇଛି । ହାଲୁକା ବର୍ଷା ସତ୍ତ୍ୱେ ଗତକାଲି ଭଳି ପାଣି ଜମି ରହିବାର ସମସ୍ୟା ନାହିଁ । କେବଳ ବଡ଼ଦାଣ୍ଡ ନୁହେଁ, ଗତକାଲି ପୁରୀର ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା ।

