ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓଡ଼ିଶାର ପାଣିପାଗ ଉପରେ ପଡ଼ିଛି । ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷା ଓ ପବନକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାଜନିତ ପାଣିପାଗ ସ୍ଥିତି ଉପରେ ନଜର ରହିଛି । ବର୍ଷା ସହ ଝଟକା ପବନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।
ବାତ୍ୟାର ମୁଖ୍ୟ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିଲେ ମଧ୍ୟ ଏହା ସହ ଜଡ଼ିତ ବର୍ଷାବାଦଲ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରିପାରେ । ରାଜ୍ୟରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ ଓ ବ୍ରହ୍ମପୁରରେ ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି । ଆଜି ରାଜ୍ୟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଏହି ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ଅତିଭୀଷଣ ବର୍ଷା ସହ ପ୍ରବଳ ପବନ ବହିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବ୍ୟତୀତ ଅନ୍ୟ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ ।
ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବର୍ଷା ସହ ଏଭଳି ପବନ ଯୋଗୁଁ ଗଛର ଡାଳ ଭାଙ୍ଗିବା, କଚ୍ଚାଘର କ୍ଷତିଗ୍ରସ୍ତ ହେବା ଏବଂ ବିଦ୍ୟୁତ୍ ସରବରାହରେ ସମସ୍ୟା ଉପୁଜିପାରେ । ବିଶେଷକରି ପାହାଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ବର୍ଷା ସମୟରେ ଯାତାୟାତ ବିପଦପୂର୍ଣ୍ଣ ହୋଇପାରେ । ଲଗାଣ ବର୍ଷା ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଭଳି ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନର ବିପଦ ବଢ଼ିପାରେ ।

