ଅଭିନେତା ତଥା ରାଜନେତା ରବି କିଶନଙ୍କ ଆଗାମୀ ଫିଲ୍ମ ‘ମେରା ୟାର ବଜରଙ୍ଗୀ-ଦୋସ୍ତି ହୋ ତୋ ଐସି’ର ଟାଇଟଲ୍ ଓ ରିଲିଜ୍ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମଟି ୨୦୨୭ ଦୀପାବଳି ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ମହାବୀର ଜୈନ ଫିଲ୍ମସ୍ ପକ୍ଷରୁ ଫିଲ୍ମର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମର କାହାଣୀ ଜଣେ ସାଧାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିଆରା ବନ୍ଧୁତା ଉପରେ ଆଧାରିତ । ଏଥିରେ ଭକ୍ତ ଓ ବଜରଙ୍ଗବଲୀଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କକୁ ଦେଖିବାକୁ ମିଳିବ ।
ଫିଲ୍ମର ପ୍ରଥମ ପୋଷ୍ଟରରେ ଦୁଇଟି ହାତ ଫିଷ୍ଟ ବମ୍ପ୍ କରୁଥିବା ଦୃଶ୍ୟ ରହିଛି । ଗୋଟିଏ ହାତରେ ରୁଦ୍ରାକ୍ଷ ଓ ରକ୍ଷାସୂତ୍ର ଥିବାବେଳେ ଅନ୍ୟ ହାତଟି ବଜରଙ୍ଗବଲୀଙ୍କର । ତାଙ୍କ ହାତରେ ଶ୍ରୀରାମ ଲେଖାଥିବା ବସ୍ତ୍ର ଓ ରୁଦ୍ରାକ୍ଷ ମାଳା ଦେଖିବାକୁ ମିଳିଛି ।
୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ରବି କିଶନ ଭୋଜପୁରୀ ଓ ହିନ୍ଦୀ ସିନେମା ସହ ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହି ଫିଲ୍ମରେ ସେ ଜଣେ ସାଧାରଣ ମଣିଷ ଓ ଭଗବାନ ହନୁମାନଙ୍କ ପରମ ଭକ୍ତ ଭାବେ ନଜର ଆସିବେ । ମହାବୀର ଜୈନ ଫିଲ୍ମସ୍ ପକ୍ଷରୁ ଅକ୍ଟୋବର ୨୭ ତାରିଖରେ ଫିଲ୍ମର ନାମ ଓ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଏହା ୨୦୨୭ ଦୀପାବଳିରେ ରିଲିଜ ହେବ ।

