ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ । ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ । ଦୁବାଇର ମଧ୍ୟଭାଗରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିବାକୁ ମିଳିଛି ।
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ୍ ସଂଘର୍ଷ ମଧ୍ୟରେ ଏହି ଘଟଣା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ବିସ୍ଫୋରଣ ପରେ ସହରର ଆକାଶରେ କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା । ଦୁବାଇର ଶେଖ ଜାଏଦ ରୋଡ୍ ଏବଂ ବୁର୍ଜ ଖଲିଫା ନିକଟ ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣାଯାଇଥିଲା, ଯାହା ଫଳରେ ବଡ଼ ବଡ଼ କୋଠାଗୁଡ଼ିକ ଥରି ଉଠିଥିଲା ।
ଦୁବାଇ ସରକାର କହିଛନ୍ତି, ଶତ୍ରୁପକ୍ଷରୁ ଆସୁଥିବା ଡ୍ରୋନ୍ କିମ୍ବା ମିସାଇଲକୁ ଦୁବାଇର ବାୟୁ ପ୍ରତିରକ୍ଷା ବାହିନୀ ଆକାଶରେ ହିଁ ନଷ୍ଟ କରିଦେଇଛି । ଏହାର କିଛି ଭଗ୍ନାଂଶ ଏକ କୋଠା ଉପରେ ପଡ଼ିବାରୁ ସାମାନ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ କେହି ମୃତାହତ ହୋଇନାହାନ୍ତି । ଏହା ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣ ବୋଲି ସନ୍ଦେହ କରାଯାଉଛି ।
ଗତ କିଛି ଦିନ ମଧ୍ୟରେ ଦୁବାଇ ଏଭଳି ଅନେକ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣକୁ ରୋକିବାରେ ସଫଳ ହୋଇ ଛି। ସହରରେ ସାଇରନ୍ ବାଜୁଥିବା ବେଳେ ଜରୁରୀକାଳୀନ ସେବାକୁ ସକ୍ରିୟ କରାଯାଇଛି । ଏହି ସଂଘର୍ଷ ଯୋଗୁଁ ଆଗକୁ ବିଶ୍ୱ ବଜାରରେ ତେଲ ଦର ଆହୁରି ବଢ଼ିବା ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

