ଭୁବନେଶ୍ବର: ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ମୁହାଁ ପାରଦ । ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ । ୧୪ରେ ଝାରସୁଗୁଡ଼ା, ଟିଟଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ ରହିବ । ସେପଟେ ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ।
ଗତକାଲିର ସୂଚନାନୁଯାୟୀ, ଆହୁରି ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ମାର୍ଚ୍ଚରୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୩୯ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ୧୩ଟି ସହରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ । ସେପଟେ ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି ।
ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ଆଜି ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଦିଆଯାଇଥିବା ବେଳେ କିଛି ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ରହିଛି । ଆସନ୍ତା ୧୬ ତାରିଖ ସକାଳ ୮.୩୦ ଯାଏ ରାଜ୍ୟର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

