ଥାଇଲାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ । ରୋଜଗାର ପାଇଁ ଯାଇଥିଲେ ଦେଶ ବାହାରକୁ । ହେଲେ ୪ ମାସ ହେବ ନମିଳୁଛି ଦରମା । ନା ମିଳୁଛି ପେଟ ଭରିବାକୁ ଦାନ ଟିକେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୬ଜଣ ଯୁବକ ପ୍ଲାଏଉଡ୍ କାମ ପାଇଁ ଥାଇଲାଣ୍ଡ୍ ଯାଇଥିଲେ। ଯୁବକମାନେ ହେଲେ ଜୟନଗର ପଞ୍ଚାୟତ କୁଜିପୁର ଗାଁର ଯଶୋବନ୍ତ ସାହୁ, ନୂଆଗାଁର ଜୟନ୍ତ ମଲିକ, ବରାଡ଼ିଆ ପଞ୍ଚାୟତ ଉପୁଳାଇ ଗାଁର ପୁଅ ପ୍ରଶାନ୍ତ ରାଉତ, କାଟଣାବଣିଆ ଗାଁର ହେମନ୍ତ ବେହେରା ଓ ଚାନ୍ଦବାଲି ବ୍ଲକ୍ କୌଡ଼ିଆପାଳ ଗାଁର ମନୋରଞ୍ଜନ ସାହୁ।
ଗତବର୍ଷ ଅଗଷ୍ଟ ମାସରେ ଯାଇଥିଲେ ଥାଇଲାଣ୍ଡ୍ । ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ୨ଜଣ ମାଲିକ ଓମ୍ ପ୍ରକାଶ ଓ ଜୟ ପ୍ରକାଶ ସେମାନଙ୍କୁ କାମ ଦେବା ପାଇଁ ଟୁରିଷ୍ଟ ଭିସାରେ ଥାଇଲାଣ୍ଡର ଚୋନ୍ ବୁରି ଅଞ୍ଚଳକୁ ନେଇଥିଲେ । ସେଠାରେ କିଛି ଦିନ କାମ ପରେ ୪ମାସ ହେବ ତାଙ୍କୁ ଦରମା ମିଳୁନାହିଁ । ଏପରିକି ୫ ଦିନ ଧରି ସେମାନେ ଭୋକଉପାସରେ ରହିଛନ୍ତି । ଶେଷରେ ଅସହାୟ ହୋଇ ୬ଯୁବକ ଘରକୁ ଫେରିବା ଲାଗି ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

