ଭୁବନେଶ୍ୱର: ‘ଇଣ୍ଡିଆ ଟ୍ରେକ୍ ଫର୍ ଗ୍ଲୋବାଲ ଲିଡର୍ସ’ କାର୍ଯ୍ୟକ୍ରମ ଅଧୀନରେ ଭାରତ ଗସ୍ତରେ ଆସିଥିବା ଏକ ୩୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ଶିକ୍ଷାବିତ୍ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଇଣ୍ଡିଆ ଗେଟ୍ , ଲୋଟସ୍ ଟେମ୍ପଲ ଏବଂ ଅକ୍ଷରଧାମ ମନ୍ଦିର ଭଳି ପ୍ରମୁଖ ଐତିହାସିକ ସ୍ଥଳଗୁଡ଼ିକ ଭ୍ରମଣ କରିଥିଲେ । ଏହି ଅବସରରେ ନୂଆଦିଲ୍ଲୀରେ ଅବସ୍ଥିତ ବିଭିନ୍ନ ଅନୁଷ୍ଠାନ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ । ସାଇବର ସୁରକ୍ଷା, ଅନ୍ତର୍ଜାତୀୟ ସମ୍ପର୍କ, ବିଶ୍ୱସ୍ତରୀୟ ଦକ୍ଷତା ପ୍ରବାହ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୂଆଦିଲ୍ଲୀଠାରେ ରଣନୈତିକ ଆଲୋଚନା କରିଥିଲେ ।
ସେହିପରି ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁଭେନ୍ ଆଜାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲଙ୍କ ସହ କୂଟନୈତିକ ପ୍ରାଥମିକତା ତଥା ଦ୍ୱିପାକ୍ଷିକ ସଂପର୍କ ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପ୍ରତିନିଧି ଦଳ ‘ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟ୍ ’ ଏବଂ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ଲାଟଫର୍ମ ‘ଲେଭରେଜ୍ ଏଡୁ’ ସହ ଆଞ୍ଚଳିକ ନୀତି ଓ ଶ୍ରମଶକ୍ତିର ଧାରା ସମ୍ପର୍କରେ ମତ ବିନିମୟ କରିଥିଲେ । ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ଅମନ ପୁରୀଙ୍କ ଦ୍ୱାରା ଆୟୋଜିତ ଏକ ସରକାରୀ ରାତ୍ରିଭୋଜନରେ ଉଭୟ ପକ୍ଷ ମଧ୍ୟରେ ବୃତ୍ତିଗତ ଓ କୂଟନୈତିକ ଆଲୋଚନା ଜାରି ରହିଥିଲା । ଆଜି ଏହି ପ୍ରତିନିଧି ଦଳ କିଟ୍ ଓ କିସ୍ ପରିଦର୍ଶନ ପାଇଁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ମାଧ୍ୟମରେ ସମାଜର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ବିଷୟରେ ସେମାନେ ଅବଗତ ଥିଲେ । ଏଥିପାଇଁ ସେମାନେ କିଟ୍ ଓ କିସ୍ ପରିଦର୍ଶନ କରିବା ପାଇଁ ଆସିଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି କ୍ରମେ ଏମାନେ ଭାରତ ପରିଦର୍ଶନ କରୁଛନ୍ତି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏମାନଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଥାନ୍ତି । ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । କିଟ୍ ଓ କିସ୍ ରେ ରହଣି ସମୟରେ ସେମାନେ ଏଠାକାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ ।

