ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନଡ଼ା ଜଳାଇବା ଏବଂ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ଧୂଆଁର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରଭାବ ବାୟୁର ମାନ ଉପରେ ପଡ଼ୁଛି । ଗୁରୁବାର ଉତ୍ତରପ୍ରଦେଶର ମେରଟ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ରେକର୍ଡ ହୋଇଛି । ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୯୮୭ ରହିଛି ।
ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶର ହାପୁଡ଼ (୮୭୭), ତୃତୀୟ ସ୍ଥାନରେ ହରିୟାଣାର ପାଣିପତ (୮୪୨), ଚତୁର୍ଥ ସ୍ଥାନରେ ମୁଜାଫରନଗର (୭୮୬) ଏବଂ ପଞ୍ଚମ ସ୍ଥାନରେ ସୋନିପତ (୭୮୧) ରହିଛି । ଏହି ତାଲିକାର ଷଷ୍ଠ ସ୍ଥାନରେ ହରିୟାଣାର ରୋହତକ (୭୪୦), ସପ୍ତମ ସ୍ଥାନରେ କୈଥଲ (୭୦୨), ଅଷ୍ଟମ ସ୍ଥାନରେ ଉତ୍ତରପ୍ରଦେଶର ଗାଜିଆବାଦ (୭୦୦), ନବମ ସ୍ଥାନରେ କରନାଲ (୬୯୯) ଏବଂ ଦଶମ ସ୍ଥାନରେ ଫରିଦାବାଦ (୬୬୩) ରହିଛି ।
ରାଜଧାନୀ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ରହିଛି । ଗୁରୁବାର ଦିଲ୍ଲୀର AQI ୫୫୪ ଥିବାବେଳେ ନୋଏଡାରେ ଏହା ୬୩୭ ରେକର୍ଡ ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସହ ଅନ୍ୟାନ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଦୀପାବଳି ପାଖେଇ ଆସୁଥିବାରୁ ଆଗକୁ ବାୟୁ ପ୍ରଦୂଷଣ ସ୍ଥିତି କିପରି ରହିବ, ତାହାକୁ ନେଇ ଚିନ୍ତା ବଢ଼ିଛି ।

