ତିହିଡି, ୦୪.୧୧: ଭଦ୍ରକ ଜିଲ୍ଲା ତିହିଡି ତହସିଲ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଗୁଡୁପାଳ ମୌଜାର ଚାଷୀଙ୍କୁ ବନ୍ୟା କ୍ଷତିଗ୍ରସ୍ତ ସହାୟତା ରାଶି ମିଳିବ କେବେ ! ଜୁଲାଇ ମାସରେ ଲଗାତର ଦୁଇଟି ବନ୍ୟାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ମାସାଧିକ କାଳ ଧାନତଳି ଓ ରୁଆଧାନରେ ପାଣି ଜମି ରହିଲା ଏବଂ ପଚି ଗଲା ମଧ୍ୟ । ଏହା ପରେ ବନ୍ୟା ଲାଗି ରହିଲା ଏବଂ ଆଉ ଚାଷ କରିବାକୁ ଚାଷୀ ବାପୁଡା ଅଣ୍ଟା ଭିଡିବା ସମ୍ଭବ ହୋଇ ପାରିଲା ନାହିଁ । ବିଲ ମୁଣ୍ଡକୁ ଯିବାକୁ ଚାଷୀ ଆଉ ଇଛା ହେଉନି । ଏବେବି ଚାଷ ବିଲରେ ଚାଷୀର ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଛି । ସେପଟରେ ବନ୍ୟା ଜଳରେ ବିଲରେ ପଟ୍ଟୁ ଜମି ଘାସ ସୃଷ୍ଟି ହୋଇଛି ଯାହା ଗୃହପାଳିତ ପଶୁ ଓ ବୁଲା ଷଣ୍ଢଙ୍କର ଚରାଭୂଇଁ ସାଜିଛି । ସେତେବେଳେ ଶହେ ପ୍ରତିଶତ ଧାନ ନଷ୍ଟ ହୋଇଥିଲା ଏବଂ ସରକାରୀ ସ୍ତରରେ କ୍ଷେତ୍ରୀୟ ତଦନ୍ତ ହୋଇଥିଲେ ହେଁ ଏଯାବତ କୌଣସି ସରକାରୀ ସହାୟତା ମିଳିଲା ନାହିଁ । ତହସିଲ ସ୍ତରରେ ଏହା ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । କିପରିଭାବେ ସମବାୟ ସମିତିର ଋଣ ସହ ସାହୁକାରଙ୍କ ଋଣ ଓ ଧାରକରଜ କରିଥିବା ଟଙ୍କା ଫେରସ୍ଥ କରିବ ଏଥିସହ ଘର ଖର୍ଚ୍ଚ ଏପରିକି ପିଲାମାନଙ୍କ ପାଠ ପଢା ସେସବୁ ଚିନ୍ତାକରି ଚାଷୀ ଆଜି ମୁଣ୍ଡରେ ହାତ ମାରି ବସୁଛି । ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଗଲେ ପରବର୍ତ୍ତୀ ଡାଳୁଆ ଚାଷ କରିବା ଲାଗି ପ୍ରସ୍ତୁତି ହୋଇ ପାରନ୍ତେ ବୋଲି ଦାବିକରି ନେଇ ବୁଧବାର ପୂର୍ବାହ୍ନରେ ଗଣେଶ ପ୍ରସାଦ ନାୟକ, ବେଣୁଧର ନାୟକ, ଶରତ ଦାସ, ଖଗେଶ୍ୱର ରାଉତ, ଗୌରାଙ୍ଗ ନାୟକ, ଅମୁଲ୍ୟ ପ୍ରଧାନ, ଜଗନ୍ନାଥ ମହାଳିକ, ଆନନ୍ଦ ପ୍ରଧାନ, ଅପର୍ତ୍ତି ସାହୁ, ରବିନ୍ଦ୍ର ମହାଳିକ, ସତ୍ୟବ୍ରତ କୁଣ୍ଡ, ସଞ୍ଜୟ କୁଣ୍ଡ, ଗିରିଧାରୀ ନାୟକ, ଇନ୍ଦ୍ରମଣି ନାୟକ, ସନିଲ ମହାଳି, ରଘୁନାଥ କୁଣ୍ଡ, ବୁଧିରାମ କୁଣ୍ଡ, ଦେବେନ୍ଦ୍ର ଦାସ, ବିଷ୍ଣୁଚରଣ ପ୍ରଧାନ, ହେମଲତା ନାୟକ, କବିତା ରାଉଳ, ସଶ୍ମିତା ଦାସ, ପ୍ରକାଶ ନାୟକ ଓ ଗୌତମ ଦାସ ଶତାଧିକ ଚାଷୀ ସାମିଲ ହୋଇଥିଲେ । ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ତୁରନ୍ତ ସମାଧାନ କରାଯିବ ବୋଲି ତହସିଲଦାର ସୁଭାଶିଷ ସାହୁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ଏହି ମୌଜାର ୪୭୫ ଜଣ ଧାନ ଚାଷ କରିଥିଲେ । ଅନ୍ୟ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ ଏହି ମୌଜାର ଚାଷୀ ଏଯାବତ କୌଣସି ପାଇନଥିବା ଅଭିଯୋଗ ହୋଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

