ତିହିଡି, ୦୪.୧୧: ଭଦ୍ରକ ଜିଲ୍ଲା ତିହିଡି ବିଜ୍ଞାପିତ ପରିଷଦ ଅଧିନ ମଙ୍ଗରାଜପୁରପୁର ଗ୍ରାମର ମା’ କନକ ଦୁର୍ଗାଙ୍କ ପୂଜା ମହାଆଡମ୍ବରରେ ପାଳିତ ହେଉଅଛି । ମା’ଙ୍କ ପୂଜା ଉତ୍ସବ ପାଇଁ ମଙ୍ଗରାଜପୁର ଗ୍ରାମ ଚଳଚଞ୍ଚଳ ହୋଇ ଉଠିଛି । ମା’ଙ୍କ ମନ୍ଦିରକୁ ସାଜସଜା କରାଯାଇଥିବା ବେଳେ ରଙ୍ଗୀନ ଆଲୋକମାଳା ଆଉ ସୁସଜ୍ଜିତ ତୋରଣ ପୂଜାସ୍ଥଳକୁ ବେଶ ମନୋରମ କରିବା ସହିତ ଶ୍ରଦ୍ଧାଳୁମାନଙ୍କୁ ଅକର୍ଷିତ କରୁଛି । କାର୍ତ୍ତିକ ମାସ ସପ୍ତମୀ ତିଥି ରବିବାର ଠାରୁ ଆରମ୍ଭ ହୋଇଛି । ଏହି ପୂଜା ବୁଧବାର ଦଶମୀରେ ସମାପନ ହୋଇ ଯାଇଛି । ସୋମବାର ମହାଷ୍ଟମୀ ଅବସରରେ ମାଙ୍କ ପୀଠରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସପ୍ତମୀରେ କଳସ ବୁଡ଼ା ପରେ ମା’ଙ୍କର ଯଥାବିଧି ପୂଜାର୍ଚ୍ଚନା କରା ଯାଉଛି । ପରମ୍ପରା ଅନୁଯାୟୀ ସପ୍ତମୀ ଓ ଅଷ୍ଟମୀ ରାତିରେ ମା’ଙ୍କ ନିକଟରେ କଖାରୁ ବଳି ଦିଆଯାଇଥିଲା । କର୍ତ୍ତାଭାବେ ଧନେଶ୍ୱର ସାବତ ଓ ତାଙ୍କ ପତ୍ନୀ ଏବଂ ପୁରୋହିତ ଭାବେ ବିମ୍ବାଧର ତ୍ରିପାଠୀ, ଶୁକଦେବ ଦାସ ଓ ଅନନ୍ତ ତ୍ରିପାଠୀ ପୂଜା କାର୍ଯ୍ୟ ତୁଲାଉଛନ୍ତି । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରା ଯାଇଛି । ମଙ୍ଗରାଜପୁର ଗ୍ରାମରେ ମା’ କନକ ଦୁର୍ଗା ୭ ଶହରୁ ଅଧିକ ବର୍ଷ ପୂର୍ବେ ମା’ ବାସୁଳୀ ନାଁରେ ପୂଜା ପାଉଥିଲେ । ମାତ୍ର ମା’ଙ୍କ ପୂଜାରେ ଅବହେଳା କରାଯିବା ଏବଂ ତାଙ୍କ ଉପରେ ଦୃଷ୍ଟି ରଖା ନଯିବାରୁ ମା’ ମାଟି ତଳକୁ ଚାଲି ଯାଇଥିଲେ । ୪୫ବର୍ଷ ପୂର୍ବେ ମା’ ଜଣେ ଯୁବକଙ୍କ ଦେହରେ ପ୍ରବେଶ କରିଥିଲେ । ଏକ ନିର୍ଦିଷ୍ଟ ସ୍ଥାନରେ ୪ଟି ବେଲପତ୍ର ପକାଇ ସେହି ସ୍ଥାନକୁ ଖୋଳିବାକୁ ସେହି ଯୁବକଙ୍କ ମାଧ୍ୟମରେ ମା’ ନିର୍ଦ୍ଦେଶ ଦେଇଥିଲେ । ସେହି ସ୍ଥାନ ଖୋଲାଯିବା ପରେ ମା ଅବିର୍ଭୁତା ହୋଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ମା’ଙ୍କର ନାମ କନକ ଦୁର୍ଗା ରହିଥିବା ଗ୍ରାମର ୯୫ବର୍ଷୀୟା ବୃଦ୍ଧା କୁମୁଦିନୀ ସାବତଙ୍କ ଠାରୁ ଜଣାଯାଇଛି । ମା’ଙ୍କ ଆଶିଷରେ ବହୁ ମାନସିକ ଓ ଶାରୀରିକ ରୋଗୀମାନେ ଆରୋଗ୍ୟ ହୋଇଥିବା ମା’ଙ୍କ ଅଲୌକିତାର ପ୍ରମାଣ ମିଳେ । ପ୍ରଥମେ ଚାଳ ଛପର ଘରେ ମା’ ପୂଜା ପାଉଥିଲେ । ମନ୍ଦିର ପ୍ରତିଷ୍ଠା ହେବାପରେ ମା’ଙ୍କୁ ସେଠାରେ ସ୍ଥାପନ କରାଯାଇ ପୂଜା କରା ଯାଉଛି । ମା’ଙ୍କ ସେବକ ନିରଞ୍ଜନ ସାବତ, ଇନ୍ଦ୍ରମଣି ସାବତ, କ୍ଷୀରସିନ୍ଧୁ ସାବତ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

