ମୁମ୍ବାଇ : ବଲିଉଡର ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବଙ୍ଗଳା ‘ଜଲସା’କୁ ନେଇ ଆରମ୍ଭ ହୋଇଛି ପାରିବାରିକ ସମ୍ପତ୍ତି ବିବାଦ। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ଏହି ବଙ୍ଗଳାର ମାଲିକାନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମିତାଭଙ୍କ ସାନଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରମୋଲା ବଚ୍ଚନ। ୧୯୯୩ ମସିହାରେ ଜୟା ବଚ୍ଚନଙ୍କ ନାଁରେ ହୋଇଥିବା ଗିଫ୍ଟ ଡିଡ୍ ବା ଦାନପତ୍ରର ବୈଧତାକୁ ସେ ଚ୍ୟାଲେଞ୍ଜ କରିଛନ୍ତି।
ରିପୋର୍ଟ ଅନୁସାରେ, ରମୋଲାଙ୍କ ଦାବି ହେଉଛି ଯେ ‘ଜଲସା’ ପ୍ରଥମେ ତାଙ୍କ ନାଁରେ ପଞ୍ଜୀକୃତ ହୋଇଥିଲା। କିନ୍ତୁ ତାଙ୍କ ଅଜାଣତରେ ଏବଂ ବିନା ସମ୍ମତିରେ ଏହାକୁ ଜୟା ବଚ୍ଚନଙ୍କ ନାଁରେ ହସ୍ତାନ୍ତର କରାଯାଇଥିଲା। ଗତ ସାତ ମାସ ମଧ୍ୟରେ ସେ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଏକାଧିକ ଅଭିଯୋଗ କରିଥିବା କୁହାଯାଉଛି।
ଏହି ବିବାଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଦୁଇଟି ସରକାରୀ ଓ ଆବାସିକ ରେକର୍ଡ ମଧ୍ୟରେ ଥିବା ଅସଙ୍ଗତି। କପୋଲ ହାଉସିଂ ସୋସାଇଟିର ରେକର୍ଡରେ ଜୟା ବଚ୍ଚନଙ୍କୁ ମାଲିକ ଭାବେ ଦର୍ଶାଯାଇଥିବା ବେଳେ ମହାରାଷ୍ଟ୍ର ସରକାରଙ୍କ ପ୍ରପର୍ଟି କାର୍ଡରେ ରମୋଲା ବଚ୍ଚନଙ୍କ ନାଁ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। କେବଳ ମାଲିକାନା ନୁହେଁ, ୧୯୯୩ର ଦାନପତ୍ର ପ୍ରସ୍ତୁତି ପ୍ରକ୍ରିୟାକୁ ମଧ୍ୟ ରମୋଲା ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସେତେବେଳେ ଷ୍ଟାମ୍ପ ଡ୍ୟୁଟି ପୈଠ ନକରି ସାଧା କାଗଜରେ ଦାନପତ୍ର ପ୍ରସ୍ତୁତ ହୋଇଥିଲା।
ଏଥିରେ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ନଥିଲା। ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ସରକାରଙ୍କ ଅଭୟ ଯୋଜନା ଅଧୀନରେ ଏହି ଦସ୍ତାବିଜକୁ କିପରି ନିୟମିତ କରାଗଲା, ସେନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲା ଅନ୍ଧେରୀସ୍ଥିତ ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଉପନିବନ୍ଧକ ଫୈୟାଜ ମୁଲାନୀ ଅଭିଯୋଗ ମିଳିଥିବା ଏବଂ ଶୁଣାଣି ଆରମ୍ଭ ହୋଇଥିବା ନିଶ୍ଚିତ କରିଛନ୍ତି। ସମ୍ପୃକ୍ତ ପକ୍ଷମାନଙ୍କୁ ନିଜ ନିଜ ଜବାବ ଦାଖଲ କରିବାକୁ କୁହାଯାଇଛି। ଏନେଇ ଅମିତାଭ ବଚ୍ଚନଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜୟା ବଚ୍ଚନଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନଥିବା ରିପୋର୍ଟରେ କୁହାଯାଇଛି।
ଅଭିଷେକ ବଚ୍ଚନଙ୍କ ମୁଖପାତ୍ର ଏହାକୁ ପାରିବାରିକ ମାମଲା କହି ମନ୍ତବ୍ୟ ଦେବାକୁ ମନା କରିଛନ୍ତି। ତେବେ ଏପର୍ଯ୍ୟନ୍ତ ବିବାଦୀୟ ଦାନପତ୍ର ଅବୈଧ ବୋଲି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ମାଲିକାନା ଦାବି ଓ ଦସ୍ତାବିଜର ବୈଧତା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ, ଏହି ବିବାଦ ମଧ୍ୟରେ ‘ଜଲସା’ ବାହାରେ ଅମିତାଭଙ୍କ ପ୍ରଶଂସକଙ୍କ ଭିଡ଼ ପୂର୍ବଭଳି ଜାରି ରହିଛି।
ନଭେମ୍ବର ୮ରେ ଅମିତାଭ ନିଜର ନିୟମିତ ‘ସଣ୍ଡେ ଦର୍ଶନ’ କାର୍ଯ୍ୟକ୍ରମରେ ପ୍ରଶଂସକଙ୍କୁ ଭେଟିଥିଲେ। ପୂର୍ବ ସପ୍ତାହରେ ସୁରକ୍ଷା ପାଇଁ ଲଗାଯାଇଥିବା ବୁଲେଟ୍ ପ୍ରୁଫ୍ କାଚ ଏଥର ନଥିଲା। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଅଭିଷେକ ବଚ୍ଚନ ଓ ପ୍ରଯୋଜକ ବଣ୍ଟି ୱାଲିଆ ଉପସ୍ଥିତ ଥିଲେ। ଏବେ ପ୍ରଶ୍ନ ହେଉଛି, ୩୩ ବର୍ଷ ପୁରୁଣା ଦାନପତ୍ରକୁ ନେଇ ଉଠିଥିବା ଆପତ୍ତିର ଫଇସଲା କିପରି ହେବ? ଦୁଇଟି ରେକର୍ଡରେ ଭିନ୍ନ ନାଁ ରହିବା ପଛର କାରଣ କ’ଣ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଶୁଣାଣି ଓ ଦସ୍ତାବିଜ ଯାଞ୍ଚ ପରେ ସ୍ପଷ୍ଟ ହେବ।

