ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ହୋଇଥିବା ଗୁଳିମାଡ଼ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ମୁତାବକ, ଆକ୍ରମଣକାରୀଙ୍କ ପ୍ରଥମ ଟାର୍ଗେଟ୍ ଥିଲେ ବଲିଉଡ୍ ସୁପରଷ୍ଟାର ଆମିର ଖାନ୍ । କିନ୍ତୁ ତାଙ୍କ ନିକଟରେ ପହଞ୍ଚିବାର ସୁଯୋଗ ନ ମିଳିବାରୁ ଶେଷରେ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରାଯାଇଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ, ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ସନ୍ଦିଗ୍ଧ ସୁଟରମାନେ ସେପ୍ଟେମ୍ବର ୨୦ ତାରିଖରେ ହରିୟାଣାରୁ ମୁମ୍ବାଇ ଆସିଥିଲେ । ସେମାନେ ଆମିର ଖାନଙ୍କ ବାସଭବନ ଆଖପାଖରେ ଅତି କମରେ ତିନିଥର ରେକି କରିଥିଲେ । ହେଲେ ଆମିର କେତେବେଳେ ସୁଟିଂ ପାଇଁ ବାହାରେ ରହୁଥିଲେ ତ ଆଉ କେତେବେଳେ ଦୀର୍ଘ ସମୟ ଧରି ଘରୁ ବାହାରୁ ନଥିଲେ । ଫଳରେ ସୁଟର୍ ମାନେ ତାଙ୍କୁ ଟାର୍ଗେଟ୍ କରିବାର ସୁଯୋଗ ପାଇନଥିବା କୁହାଯାଉଛି । ପରେ ସେମାନଙ୍କ ନଜର ପଡ଼ିଥିଲା ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରିଥିଲେ ।
ଟାଇଗର ପ୍ରତି ରବିବାର ମୁମ୍ବାଇର ଜୁହୁ ଅଞ୍ଚଳରେ ଫୁଟବଲ୍ ଖେଳିବାକୁ ଯାଉଥିବାରୁ ତାଙ୍କୁ ସହଜରେ ଟାର୍ଗେଟ୍ କରିହେବ ବୋଲି ଆକ୍ରମଣକାରୀମାନେ ଭାବିଥିଲେ । ଗତ ୧୮ ତାରିଖରେ ଜୁହୁରେ ଟାଇଗରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରୁ ଟାଇଗର ବର୍ତ୍ତିଯାଇଥିଲେ । ଏହାସହ ଆମିର ଖାନ୍ ଙ୍କୁ ଜୁଲାଇ ମାସରେ ମିଳିଥିବା ଧମକ ସହ ଏହି ଷଡ଼ଯନ୍ତ୍ରର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି । ଅନ୍ୟପଟେ ସଲମାନ ଖାନ୍ ଓ ରଣବୀର କପୁରଙ୍କ ବାସଭବନ ନିକଟରେ ମଧ୍ୟ ସନ୍ଦିଗ୍ଧମାନେ ରେକି କରିଥିବା ତଥ୍ୟ ସାମ୍ନାକୁ ଆସିଛି । ତେବେ କେଉଁ ଅଭିନେତାଙ୍କୁ ପ୍ରକୃତରେ ଆକ୍ରମଣ ପାଇଁ ଚିହ୍ନଟ କରାଯାଇଥିଲା ଏବଂ ଏହା ପଛରେ କାହାର ନିର୍ଦ୍ଦେଶ ଥିଲା, ତାହାର ତଦନ୍ତ ଜାରି ରହିଛି । ତେବେ ଆମିର ଖାନ୍ ପ୍ରଥମ ଟାର୍ଗେଟ୍ ଥିବା ପୋଲିସ ସୂତ୍ର ଆଧାରିତ ରିପୋର୍ଟରୁ ଆସିଛି ।

