ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ଉପକୂଳରେ ପବନ, ବର୍ଷା ଓ ସମୁଦ୍ର ଜୁଆରର ତ୍ରିମୁଖୀ ବିପଦ! ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ବଢ଼ୁଛି ବାତ୍ୟା ‘ଅର୍ଣ୍ଣବ’ର ବିପଦ । କେବଳ ପ୍ରବଳ ପବନ ନୁହେଁ, ଭୀଷଣ ବର୍ଷା ଓ ସମୁଦ୍ର ଜୁଆର ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ । ଏହି ତିନିଟି କାରଣରୁ ଆନ୍ଧ୍ର ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ବଙ୍ଗୋପସାଗରରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ସକାଳେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ । ବାପଟଲାରୁ ବିଶାଖାପାଟଣା ମଧ୍ୟରେ ୟାନମ ନିକଟରେ ଏହାର ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ରହିଛି । ସେହି ସମୟରେ ଘଣ୍ଟାକୁ ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ଏତେ ବେଗରେ ପବନ ବହିଲେ ବଡ଼ ବଡ଼ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଓ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ । ଅନ୍ୟପଟେ ସମୁଦ୍ର ଜୁଆର ଆଉ ଏକ ବଡ଼ ଚିନ୍ତାର କାରଣ । ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ସାଧାରଣ ଜୁଆର ସ୍ତରଠାରୁ ସମୁଦ୍ର ପାଣି ୧ରୁ ଦେଢ଼ ମିଟର ଅଧିକ ଉଠିପାରେ । ଫଳରେ ଉପକୂଳର ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି । ବିଶେଷକରି କାକିନାଡ଼ା ଓ ୟାନମ ଅଞ୍ଚଳରେ ସମୁଦ୍ର ଜୁଆର ଅଧିକ ବିପଦ ସୃଷ୍ଟି କରିପାରେ ।
ଏହା ସହିତ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ । ବିଶେଷକରି ସମୁଦ୍ର ଜୁଆର ସମୟରେ ପ୍ରବଳ ବର୍ଷା ହେଲେ ନଦୀ ଓ ନାଳର ପାଣି ସମୁଦ୍ରକୁ ନିଷ୍କାସିତ ହେବାରେ ବାଧା ସୃଷ୍ଟି ହୋଇପାରେ । ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ବିପଦ ଆହୁରି ବଢ଼ିପାରେ । ତେଣୁ ବାତ୍ୟା ‘ଅର୍ଣ୍ଣବ’ ପାଇଁ ଆନ୍ଧ୍ର ଉପକୂଳରେ ପବନ, ବର୍ଷା ଓ ସମୁଦ୍ର ଜୁଆର—ଏହି ତିନୋଟି ବିପଦକୁ ନେଇ ସତର୍କ ରହିବା ଜରୁରୀ ।

