ଭୁବନେଶ୍ୱର : ଭାଇରାଲ୍ ଭିଡିଓକୁ ନେଇ ବିବାଦରେ ଚିକିଟି ବିଜେପି ବିଧାୟକ । ପତ୍ନୀ କହିଲେ AIରେ ତିଆରି ହୋଇଛି ଭିଡିଓ । ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ବେଳର ଭିଡିଓକୁ ନେଇ ରାଜନୈତିକ ବିବାଦ । ବିଜେଡିର କଟାକ୍ଷ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକଙ୍କ ପତ୍ନୀ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ବିବାଦରେ ଚିକିଟିର ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା । ଭିଡିଓରେ ବିଧାୟକ ତାଙ୍କ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ତେବେ ଏହି ଭିଡିଓର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ। ଗୁରୁବାର ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବନ୍ୟା ପରିସ୍ଥିତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିଲେ ଚିକିଟି ବିଧାୟକ। ସେଠାରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ହୋଇଥିବା କଥିତ ଆଚରଣର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ବିବାଦ ଆରମ୍ଭ ହୋଇଛି । ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ବିଜେଡି ବିଜେପିକୁ କଟାକ୍ଷ କରିଛି ।
ବିଜେଡି ଲେଖିଛି, ‘ଗଞ୍ଜାମ ଭାସିଗଲା ବନ୍ୟାରେ, ବିଜେପି ନେତା ଉଛୁଳୁଛନ୍ତି ଖୁସିରେ। ବନ୍ୟା ପ୍ରଭାବିତ ଗଞ୍ଜାମର ପରିସ୍ଥିତି ଭିତରେ ଏହି ଭିଡିଓକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଅନ୍ୟପଟେ ବିଧାୟକଙ୍କ ପତ୍ନୀ ମୀନା ସାହୁ ଭାଇରାଲ୍ ଭିଡିଓକୁ ନକଲି ବୋଲି ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସହାୟତାରେ ଭିଡିଓକୁ ବିକୃତ କରାଯାଇଛି । ସେ ସମାନ ସାମ୍ବାଦିକ ସମ୍ମିଳନୀର ଆଉ ଏକ ଭିଡିଓ ସେୟାର କରି ତାହାକୁ ମୂଳ ଭିଡିଓ ବୋଲି ଦର୍ଶାଇଛନ୍ତି ।
ମୀନା ସାହୁ ଅଭିଯୋଗ କରିଛନ୍ତି ଯେ ବିଜେଡିର ଚିକିଟି ସୋସିଆଲ ମିଡିଆ ଟିମ୍ ତାଙ୍କ ସ୍ୱାମୀଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ AI ଭିଡିଓ ପ୍ରସ୍ତୁତ କରି ପ୍ରଚାର କରିଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ବ୍ରହ୍ମପୁର ପୋଲିସକୁ ଅନୁରୋଧ କରିଛନ୍ତି। ୨୦୨୪ ନିର୍ବାଚନରେ ପ୍ରଥମଥର ପାଇଁ ଚିକିଟିରୁ ବିଧାୟକ ହୋଇଥିଲେ ମନୋରଞ୍ଜନ ଦ୍ୟାନ ସାମନ୍ତରା । ଏହି ବିବାଦ ସମ୍ପର୍କରେ ତାଙ୍କର ସିଧାସଳଖ ପ୍ରତିକ୍ରିୟା ମିଳିପାରିନାହିଁ ।

