କ୍ରିକେଟ୍ ମୈଦାନ ପରେ ଏବେ ରାଜନୈତିକ ମଞ୍ଚରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । ବିଜେପିର ଜାତୀୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ କମିଟିରେ ତାଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଶନିବାର ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚାର ନୂଆ ଜାତୀୟ ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି ।
ବିଜେପି ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନିର୍ଦ୍ଦେଶରେ ଏହି ନିଯୁକ୍ତି କରାଯାଇଛି। ନୂଆ ତାଲିକାରେ ୭ ଜଣ ଜାତୀୟ ଉପାଧ୍ୟକ୍ଷ, ୩ ଜଣ ଜାତୀୟ ମହାମନ୍ତ୍ରୀ ଏବଂ ୭ ଜଣ ଜାତୀୟ ସଚିବଙ୍କୁ ସ୍ଥାନ ମିଳିଛି । ଏହାସହ ବିଭିନ୍ନ ରାଜ୍ୟରୁ ୩୭ ଜଣଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସମସ୍ତ ନିଯୁକ୍ତି ତୁରନ୍ତ ଲାଗୁ ହୋଇଛି । ୧୯୯୦ ମସିହାରେ ଜନ୍ମିତ ୟୁଜବେନ୍ଦ୍ର ଚହଲ ଭାରତୀୟ କ୍ରିକେଟ୍ ଜଗତର ଜଣେ ଚର୍ଚ୍ଚିତ ଲେଗ୍ ସ୍ପିନର । ଦିନିକିଆ କ୍ରିକେଟ୍ରେ ଭାରତ ପାଇଁ ଖେଳିବା ସହ ଟି-୨୦ କ୍ରିକେଟ୍ରେ ୪୦୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହେବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । କ୍ରିକେଟ୍ ପୂର୍ବରୁ ସେ ଜଣେ ଚେସ୍ ଖେଳାଳି ଭାବେ ମଧ୍ୟ ପରିଚିତ ଥିଲେ ।
ଅନ୍ୟପଟେ ନୂଆ ନିଯୁକ୍ତି ତାଲିକାରେ ଓଡ଼ିଶାକୁ ମଧ୍ୟ ପ୍ରତିନିଧିତ୍ୱ ମିଳିଛି। ଓଡ଼ିଶାର ମମତା ମହନ୍ତଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଥିବା ବେଳେ ଆଶୁତୋଷ ବେହେରାଙ୍କୁ ନୀତି ଓ ଗବେଷଣା ୱିଙ୍ଗ୍ର ସହ-ସଂଯୋଜକ ଦାୟିତ୍ୱ ମିଳିଛି । ଏହାସହ ଦିଲ୍ଲୀର ଗଜେନ୍ଦ୍ର ଯାଦବ, କର୍ଣ୍ଣାଟକର ପ୍ରମୋଦ ମାଧବରାଜ ଏବଂ ଛତିଶଗଡ଼ର ଲଳିତ ଚନ୍ଦ୍ରାକରଙ୍କୁ ଜାତୀୟ ମହାମନ୍ତ୍ରୀ କରାଯାଇଛି । ବିଭିନ୍ନ ରାଜ୍ୟର ଅନ୍ୟ ନେତାମାନଙ୍କୁ ମଧ୍ୟ ଜାତୀୟ ସଚିବ, କୋଷାଧ୍ୟକ୍ଷ ଓ ବିଭିନ୍ନ ୱିଙ୍ଗ୍ର ଦାୟିତ୍ୱ ଦିଆଯାଇଛି । ତେବେ କ୍ରିକେଟ୍ ମୈଦାନରେ ନିଜର ବୋଲିଂ ଯାଦୁ ଦେଖାଇଥିବା ଚହଲଙ୍କୁ ବିଜେପିର ଜାତୀୟ ଓବିସି ମୋର୍ଚ୍ଚାରେ ମିଳିଥିବା ଏହି ନୂଆ ଦାୟିତ୍ୱ ଏବେ ରାଜନୈତିକ ଓ କ୍ରୀଡ଼ା ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

