ବାଲେଶ୍ୱର: ବାଲେଶ୍ୱର ସହରର ସର୍ବାଙ୍ଗୀଣ ବିକାଶ ଓ ନାଗରିକମାନଙ୍କ ମୌଳିକ ସୁବିଧାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୱାର୍ଡ ନଂ-୩ ସୁନହଟ ଅଞ୍ଚଳରେ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଟକଳ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ।

ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସୁନହଟ ଠାରେ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଥିଲେ। ସୁନହଟ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୨ କୋଟି ୨୫ ଲକ୍ଷ ୬୩ ହଜାର ୯୬୧ ଟଙ୍କା ଅଟକଳ ମୂଲ୍ୟରେ ଏକ ବହୁମୁଖୀ ଇଣ୍ଡୋର ହଲ୍ ନିର୍ମାଣ କରାଯିବ। ଏହି ଇଣ୍ଡୋର ହଲ୍ ନିର୍ମାଣ ଦ୍ୱାରା ଅଞ୍ଚଳର ଯୁବପିଢ଼ି ଓ କ୍ରୀଡ଼ାବିତ୍ମାନଙ୍କୁ ଅଭ୍ୟାସ ଓ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ଉନ୍ନତ ସୁବିଧା ମିଳିପାରିବ।

ସେହିପରି ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୮୮ ଲକ୍ଷ ୪୧ ହଜାର ୬୪ ଟଙ୍କା ବ୍ୟୟ ଅଟକଳରେ ସୁନହଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଗୃହ ନିର୍ମାଣ କରାଯିବ।ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ଦେୱାନପାଟଣା ଛକଠାରୁ କନକଦୁର୍ଗା ମନ୍ଦିର ଭାୟା ଡିଗିରଣିଆ ଛକ ଦେଇ ଭୁଜାଖିଆ ପୀରବାବା ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବ। ଏହି କାର୍ଯ୍ୟ ପାଇଁ ୧ କୋଟି ୫୯ ଲକ୍ଷ ୭୮ ହଜାର ୧୯୮ ଟଙ୍କା ଅଟକଳ କରାଯାଇଛି। ଏହାସହ ୧୫ ଲକ୍ଷ ଟଙ୍କା ବ୍ୟୟରେ କନକଦୁର୍ଗା ମନ୍ଦିରଠାରୁ ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।

ଏହି ରାସ୍ତାଗୁଡ଼ିକର ଉନ୍ନତିକରଣ ଓ ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଯାତାୟାତ ସହିତ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ସେହିପରି ଅଞ୍ଚଳର ଡ୍ରେନେଜ୍ ଓ ଆଭ୍ୟନ୍ତରୀଣ ରାସ୍ତା ସମସ୍ୟାର ସମାଧାନ ପାଇଁ ୨୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପାପୁଲି ସୁତାରଙ୍କ ଘରଠାରୁ ପାତ୍ରପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯିବ। ଏଥିସହ ୭ ଲକ୍ଷ ଟଙ୍କା ବ୍ୟୟରେ ରାଧା ସାବନ ଦାସଙ୍କ ଘରଠାରୁ ରାଧା ସତ୍ୟ ସାଇ ମନ୍ଦିର ଦେଇ କନକଦୁର୍ଗା ମେନ୍ ରୋଡ୍ ପର୍ଯ୍ୟନ୍ତ ପେଭର ବ୍ଲକ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା

ସହ ବର୍ଷାଦିନରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ହ୍ରାସ ପାଇବାରେ ସହାୟକ ହେବ। ସହରର ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ରାସ୍ତା, ଡ୍ରେନେଜ୍, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ଆଗକୁ ନିଆଯାଉଛି ବୋଲି ବିଧାୟକ ମାନସ ଦତ୍ତ ପରିପ୍ରକାଶ କରିଛନ୍ତି।ସୁନହଟରେ ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ଅଞ୍ଚଳର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସୁନହଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ଫଳରେ ଅଞ୍ଚଳର ଭିତ୍ତିଭୂମି ବିକାଶ ସହିତ ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ସ୍ଥାନୀୟ କାଉନସିଲର ରୋଜାଲିନ ପାଣି, ସସ୍ମିତା ନାଥ, ରାଧାକୃଷ୍ଣ ଦାସ, ଅମିତ

କୁମାର ନାୟକ କବିତା ମୁର୍ମୁ, ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା ଓ ବିଭୀଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

