ବାବା ସାହେବଙ୍କ ଆଦର୍ଶ ଓ ସାମାଜିକ ସମରସତାର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବାକୁ ଆହ୍ୱାନ
ଆଜି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।
ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରେମୁଣାର ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ନନ୍ଦ, ଗଣମାଧ୍ୟମ ସଂଯୋଜକ ଶ୍ରୀ ଶ୍ରୀନିବାସ ପ୍ରଧାନ ଏବଂ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ସମାୟ ଟୁଡୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ସୁରଝଙ୍କାର ସେଠୀ ଏବଂ ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ଗଜେନ୍ଦ୍ର ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ବୈଠକରେ ଆଗାମୀ ଦିନରେ ମୋର୍ଚ୍ଚା ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟଯୋଜନା, ବିଶେଷକରି ବାବା ସାହେବ ଡ. ବି.ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଏବଂ ସମ୍ବିଧାନ ଦିବସ ପାଳନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ମୋର୍ଚ୍ଚାର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ନିମନ୍ତେ ମଣ୍ଡଳସ୍ତରୀୟ କମିଟି ଗଠନ ଓ ସାଂଗଠନିକ ବିସ୍ତାର ସମ୍ପର୍କରେ ମଧ୍ୟ ଗଭୀର ମନ୍ଥନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତ ମଣ୍ଡଳ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ତୁଲାଇବା ସହ ତୃଣମୂଳସ୍ତରରେ ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା।
ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନର ସମୟରେ ଅନୁସୂଚିତ ଜାତି ମୋର୍ଚ୍ଚାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିବାକୁ କିଛି ଶକ୍ତି ଉଦ୍ୟମ କରୁଛନ୍ତି। ଏଭଳି ପ୍ରୟାସକୁ ରୋକିବା ସହ ସମାଜରେ ଏକତା, ଭାଇଚାରା ଓ ସାମାଜିକ ସଦ୍ଭାବନାର ବାର୍ତ୍ତା ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିସହିତ ଧର୍ମାନ୍ତରୀକରଣ ସମ୍ପର୍କିତ କାର୍ଯ୍ୟକଳାପ ପ୍ରତି ମଧ୍ୟ ସଚେତନ ଓ ସତର୍କ ରହିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଏବଂ ଶ୍ରୀ ଶ୍ରୀନିବାସ ପ୍ରଧାନ ମୋର୍ଚ୍ଚାର ସାଂଗଠନିକ ଢାଞ୍ଚାକୁ ମଜବୁତ କରିବା ସହ ବାବା ସାହେବ ଡ. ଆମ୍ବେଦକରଙ୍କ ସାମାଜିକ ସମରସତା, ସମାନତା ଓ ଭାଇଚାରାର ଆଦର୍ଶକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ମୋର୍ଚ୍ଚାର ସମସ୍ତ ଜିଲ୍ଲା ପଦାଧିକାରୀ ଏବଂ ବିଭିନ୍ନ ମଣ୍ଡଳର ସଭାପତିମାନେ ଉପସ୍ଥିତ ରହି ସାଂଗଠନିକ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।
ଶେଷରେ ମୋର୍ଚ୍ଚାର ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ଗଜେନ୍ଦ୍ର ଶେଟ୍ଟୀ ଧନ୍ୟବାଦ ଅର୍ପଣ କରିବା ସହ ବୈଠକର ସମାପନ ଘୋଷଣା କରିଥିଲେ।

