ବାଲେଶ୍ୱର, ୨୨ ନଭେମ୍ବର: ବାଲେଶ୍ୱର ସହରର ଐତିହ୍ୟ, ପ୍ରାଚୀନ ପରମ୍ପରା ଓ ସାଂସ୍କୃତିକ ଗୌରବର ସଂରକ୍ଷଣ ସହ ସହରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦେଇ ଆଜି ୮ ନମ୍ବର ୱାର୍ଡସ୍ଥିତ ହରଗଙ୍ଗା ଚନ୍ଦନ ଯାତ୍ରା ପୋଖରୀଠାରେ ଏକ ଐତିହ୍ୟ ଗେଟ୍ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ବିଧାୟକଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଐତିହ୍ୟ ଗେଟ୍ ପୋଖରୀ ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଏହି ସ୍ଥାନର ଐତିହାସିକ ଓ ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ। ବିଶେଷକରି ହରଗଙ୍ଗା

ଚନ୍ଦନ ଯାତ୍ରା ସହ ଜଡ଼ିତ ପ୍ରାଚୀନ ଧାର୍ମିକ ପରମ୍ପରା ଓ ଲୋକସଂସ୍କୃତିର ମହତ୍ତ୍ୱକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ, ବାଲେଶ୍ୱର କେବଳ ଏକ ଐତିହାସିକ ସହର ନୁହେଁ, ବରଂ ଏହା ଏକ ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପରିଚୟ ବହନ କରୁଥିବା ଭୂମି। ସହରର ସାମଗ୍ରିକ ବିକାଶ ସହ ଏହାର ପ୍ରାଚୀନ ଐତିହ୍ୟ ଓ ସାଂସ୍କୃତିକ ପୀଠଗୁଡ଼ିକର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ ମଧ୍ୟ ଆମର ପ୍ରାଥମିକତା।

ଆଧୁନିକ ବିକାଶ ସହ ପାରମ୍ପରିକ ଐତିହ୍ୟର ସମନ୍ୱୟ ରକ୍ଷା କରି ବାଲେଶ୍ୱରକୁ ଏକ ସୁନ୍ଦର, ସମୃଦ୍ଧ ଓ ସାଂସ୍କୃତିକ ଭାବେ ଗୌରବମୟ ସହର ଭାବେ ଗଢ଼ିତୋଳିବା ଆମର ଲକ୍ଷ୍ୟ। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଓ ସ୍ଥାନୀୟ କାଉନସିଲର ପ୍ରୀତିଲତା ସେଠୀଙ୍କ ଉପସ୍ଥିତ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ର ଶତପଥୀ, ଗୌରାଙ୍ଗ ଦାସ, ବିକାଶ ପାଢ଼ୀ, ରାଜେନ୍ଦ୍ର ଚାଟାର୍ଜୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଭାଗବତ ସାହୁ, କେଶବ ଆଚାର୍ଯ୍ୟ, ପଦ୍ମଲୋଚନ କମିଳା, ମନୋରଞ୍ଜନ ବେହେରା, ସସ୍ମିତା ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ।

