ଗୁଜରାଟୀ ସଙ୍ଗୀତ ଜଗତର ଲୋକପ୍ରିୟ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଗୌରାଙ୍ଗ ବ୍ୟାସଙ୍କ ପରଲୋକ ହୋଇଛି । ଅହମଦାବାଦରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଗୁଜରାଟୀ କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଗୁଜରାଟୀ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗୌରାଙ୍ଗ ବ୍ୟାସ ପ୍ରସିଦ୍ଧ ଗୁଜରାଟୀ ସଙ୍ଗୀତକାର ଅବିନାଶ ବ୍ୟାସଙ୍କ ପୁଅ ଥିଲେ । ପରିବାରର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଆଗକୁ ନେଇ ସେ ଦଶନ୍ଧି ଧରି ଗୁଜରାଟୀ ଫିଲ୍ମ, ଲୋକ ସଙ୍ଗୀତ ଓ ସୁଗମ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ ।
ପିଲାଟି ବେଳରୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଗଭୀର ଆଗ୍ରହ ଥିଲା । ମାତ୍ର ୫ ବର୍ଷ ବୟସରେ ସେ ହାର୍ମୋନିୟମ୍ ବଜାଇବା ଆରମ୍ଭ କରିଥିଲେ। ପରେ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରି ଚାକିରି କରିଥିଲେ ମଧ୍ୟ ସଙ୍ଗୀତ ପ୍ରତି ଆକର୍ଷଣ ଯୋଗୁଁ ଚାକିରି ଛାଡ଼ି ସଙ୍ଗୀତକୁ ନିଜ ଜୀବନର ମୁଖ୍ୟ ଲକ୍ଷ୍ୟ କରିଥିଲେ । ଗୌରାଙ୍ଗ ବ୍ୟାସ ୧୦୦ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ଲେଖିଛନ୍ତି । ଭାଭନୀ ଭାଭାଇ, ମଣିୟାରୋ, ନସିବନି ବଲିହାରୀ, ପାରକି ଥାପଣ ଭଳି ଫିଲ୍ମ ସହ ତାଙ୍କ ସଙ୍ଗୀତ ଜଡ଼ିତ ଥିଲା ।
ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଲତା ମଙ୍ଗେଶକର, ଆଶା ଭୋସଲେ, କିଶୋର କୁମାର, ମନ୍ନା ଡେ, ମହେନ୍ଦ୍ର କପୁର, ସୁମନ କଲ୍ୟାଣପୁର ଓ ଭୂପିନ୍ଦର ସିଂହଙ୍କ ଭଳି ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଗୀତ ଗାଇଥିଲେ । ଗୌରାଙ୍ଗ ବ୍ୟାସଙ୍କ ଦେହାନ୍ତ ଗୁଜରାଟୀ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି। ତାଙ୍କର ସଙ୍ଗୀତ ସୃଷ୍ଟି ଓ ଅବଦାନ ଆଗାମୀ ପିଢ଼ିର କଳାକାରମାନଙ୍କୁ ପ୍ରେରଣା ଦେଇ ଚାଲିବ।

