ତିହିଡ଼ି- ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜି ଗାନ୍ଧୀମାର୍ଗଠାରେ ଗତ ଅଗଷ୍ଟ ୧୬ ତାରିଖ ‘ଦାବିଦିବସ’ରୁ ଆରମ୍ଭ ହୋଇଥିବା ସ୍କୁଲ୍ କଲେଜ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମିଳିତ ସମନ୍ବୟ ସମିତିର ଅହୋରାତ୍ର ଧାରଣା ଆଜି ୧୮ ଦିନରେ ପହଞ୍ଚିଛି। ପ୍ରବଳ ବର୍ଷା ଓ ନାନା ପ୍ରତିକୂଳତା ସତ୍ତ୍ୱେ ନିଜର ନ୍ୟାଯ୍ୟ ହକ୍ ଓ ସମ୍ମାନ ଦାବିରେ ଶିକ୍ଷକ-କର୍ମଚାରୀମାନେ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୫, ଗୁରୁଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ‘ଗୁରୁଗର୍ଜନ ମହାସମାବେଶ’କୁ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ବାଗ୍ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆଗାମୀ ମହାସମାବେଶ ପାଇଁ ରଣନୀତି ପ୍ରସ୍ତୁତ କରା ଯାଇଛି। ସଭାପତି ଡ. ବାଗ୍ ଆନ୍ଦୋଳନକୁ ସଫଳ କରିବା ଲାଗି ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ସଦସ୍ୟଙ୍କ ଶତପ୍ରତିଶତ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି। ଆସନ୍ତା ୫ ତାରିଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ, ଅଧ୍ୟାପକ- ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ଏହି ମହାସମାବେଶରେ ଏକତ୍ରିତ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ଏଥିସହ ‘ଓସ୍ତା’ ଓ ‘ଅଲଓସ୍ତା’ ସଂଗଠନ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି। ଧାରଣାସ୍ଥଳୀ ନିକଟରେ ଉଭୟ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ବିରୋଧୀ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିବାକୁ ସହମତି ପ୍ରକାଶ କରିଥିବା ଜଣା ପଡ଼ିଛି। ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦିକା ଅଧ୍ୟାପିକା ନିରୁପମା ସାହୁ, ଜିଲ୍ଲା ଉପସଭାପତି ଅଧ୍ୟାପକ ଅଶୋକ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଧ୍ୟାପକ ଜୟପ୍ରକାଶ ଦାସ, କୋଷାଧ୍ୟକ୍ଷ ଅଧ୍ୟାପକ ପ୍ରହ୍ଲାଦ ମାହୁନ୍ତ, ଉପଦେଷ୍ଟା ଅଧ୍ୟାପକ ସନ୍ଦୀପ କୁମାର ଘୋଷ, ମିଡ଼ିଆସେଲ୍ ସଂଯୋଜକ ଡ. ବିଶ୍ବରଂଜନ ଦାସ, କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ପଣ୍ଡା, ରଘୁନାଥ ପଣ୍ଡା, ନିରଞ୍ଜନ ପାଲ୍, କୀର୍ତ୍ତିସୁନ୍ଦର ପଟ୍ଟନାୟକ, ଚିତ୍ତରଂଜନ ଦାସ, ଭୀମସେନ ଓଝା ଓ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ମହାସମେବେଶ ସପକ୍ଷରେ ମତପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ଉପସ୍ଥିତ ରହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ରାଜଧାନୀ ଚଳଚଞ୍ଚଳ ହେବ ବୋଲି ସଂକଳ୍ପ ନେଇଥିଲେ। ଶେଷରେ ଅଧ୍ୟାପକ ମଞ୍ଜୁର ଅହମ୍ମଦ ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

