ପୁରୀ,୧୦/୭-ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ହୋଇଉଠିଛି ।

ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି ।ଶୁକ୍ରବାର ରଥ ନିର୍ମାଣର ୮୧ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ତିନିରଥର ଜଳଯନ୍ତ୍ର ଖାପରେ ପାର୍ଶ୍ବ ଦେବାଦେବୀଙ୍କ ସେଟିଙ୍ଗ ହୋଇଛି ।

ଶ୍ରୀବିଗ୍ରହ ବିଜେ ଚକା ପାଇଁ ବନାରସି ଜରି କନାଖୋଳ ଓ ଅପସର ତକିଆ ଦରଜି ସେବକ ମାନେ ପ୍ରସ୍ତୁତ କରୁଛନ୍ତି । ଗୁରୁବାର ସୁଦ୍ଧା ତିନିରଥରେ ହଂସ ପଟା ବାଡ଼ିଆ କାର୍ଯ୍ୟ ଶେଷ ହେବା ସହ , ଚିତ୍ରକାର ସେବକଙ୍କ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଏବଂ ଦରଜୀ ସେବକଙ୍କ ରଥ କନା ସିଲେଇ କାର୍ଯ୍ୟ ଜାରୀ ରହିଥିଲା ।

ଆଜି ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନିରଥ ସମ୍ମୁଖ ଭାଗକୁ ଛଡି ପ୍ରତି ପାର୍ଶ୍ୱରେ ତିନିଗୋଟି ଲେଖାଏଁ ୯ ଗୋଟି ପାର୍ଶ୍ୱ ଦେବ ଦେବୀଙ୍କୁ ଜଳଜନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ ଦେବାଦେବୀଙ୍କ ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ଶେଷ କରିଛନ୍ତି।

ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦରଜୀ ସେବକ ମାନେ ତିନିରଥର ବତା କନାରେ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ ପରେ ତିନିରଥର ୧୨ ଗୋଟି ଦୁଆର ବେଢ଼ା ଏବଂ ୧୨ ଗୋଟି ଚନ୍ଦ୍ର ଶାଳୀ ରେ ଚିକଣ ଜରୀ ଲେସ୍, ଫୁଲ,ଡାଳି ଲତା ପକା କାର୍ଯ୍ୟ ସହ ଶ୍ରୀବିଗ୍ରହଙ୍କ ବିଜେ ଚକା ପାଇଁ ବାନାରସି ଜରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର୍ ତକିଆ ପ୍ରସ୍ତୁତ ସହ ସାରଥୀଙ୍କ ପୋଷାକ ସିଲାଇ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ମାନେ ତିନିରଥର ଜରୁରୀ କାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଲୁହା କଣ୍ଟା ସାଜ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ପାହି ମହାରଣା ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ପାଇଁ ଆବଶ୍ୟକୀୟ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ତିନିରଥ ର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୬ଜଣ

,
ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ ,ଓଝା କମାର ସେବକ ୨୦ଜଣ, ତୁମ୍ବ ବିନ୍ଧ କାରୀଗର ୨ଜଣ,ପାହି ମହାରଣା ୨ଜଣ,ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ, ମୋଟ ୨୪୪ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ।


